ଆଜି ନବଯୌବନ ବେଶରେ ଝଲସିବେ ମହାପ୍ରଭୁ

ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ  । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ମିଳିବ । ହେଲେ ଭକ୍ତଙ୍କୁ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବନି ପ୍ରଶାସନ । ସ୍ୱଳ୍ପ ସମୟ ନିମନ୍ତେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଛାଡ଼ିବାକୁ ଯୋଜନା କରାଯାଇଛି । ଅତିବେଶିରେ ୨ରୁ ୩ଘଣ୍ଟା ଦର୍ଶନ ବ୍ୟବସ୍ଥାର ସୁବିଧା ଦେବାକୁ ପ୍ରାଶାସନିକ ପ୍ରସ୍ତୁତି ହୋଇଛି ।ସେପଟେ ଏହା ପରଦିନ ଅର୍ଥାତ୍ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ଭକ୍ତଙ୍କୁ ଆଦୌ ନଦେବାକୁ ପ୍ରାଶାସନିକ ନିଷ୍ପତ୍ତି ହୋଇଛି । ଆଜି  ନେତ୍ରୋତ୍ସବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ନୀତିନିର୍ଘଣ୍ଟ ଅନୁଯାୟୀ ଦିନ ୨ଟା ୩୦ ରୁ ୩ଟା ୩୦ ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଅର୍ଥାତ ଟିକେଟ ଦେଖାଇ ଭକ୍ତମାନେ ଦର୍ଶନ କରିବା ସହ ଦିନ ୩ଟା ୩୦ ରୁ ୪ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ। ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳଧୂପ ପରେ ଅନ୍ୟାନ୍ୟ ନୀତିବଢି ବଡସିଂହାର ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ।