ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା!
ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ରତ୍ନଭଣ୍ଡାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓହ୍ଲାଇଥିବା ଗହଣାଗୁଡ଼ିକୁ ଆସନ୍ତା ୧୯ ତାରିଖରେ ଗଣାଯିବ । ଏହି ଗଣତି କାର୍ଯ୍ୟ କେବଳ ଗୋଟିଏ ଦିନ ପାଇଁ ହେବ। ରାଜ୍ୟ ସରକାରଙ୍କ SOP ଅନୁଯାୟୀ ଏହି ଗଣତି କରାଯିବ । ତେବେ ଭିତର ରତ୍ନଭଣ୍ଡାରରେ ଥିବା ବାକି ସବୁ ଗହଣାର ଗଣତି କେବେ ହେବ, ତାହା ପରେ ଜଣାପଡିବ ଜଣାଇ ଦିଆଯିବ ।ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଭିନ୍ନ ଅଳଙ୍କାରର ହିସାବ ରଖିବା ପାଇଁ ଏହି ପ୍ରକ୍ରିୟା କରାଯିବ। ଗହଣାର ସୁରକ୍ଷା ଓ ସଠିକ ତଥ୍ୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । ରତ୍ନଭଣ୍ଡାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏହି ଗଣତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ରତ୍ନଭଣ୍ଡାର କମିଟିର ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ଗହଣାର ଯାଞ୍ଚ ଓ ଗଣନା କାର୍ଯ୍ୟ ଆଗକୁ ବଢ଼ିବ ।