ସରକାରୀ ବ୍ୟାଙ୍କମାନଙ୍କ ବଡ଼ ନିଷ୍ପତ୍ତି; ଦେଶବ୍ୟାପୀ ହଟିବ ୧୫,୦୦୦ ପୁରୁଣା ATM
ଦେଶର ସରକାରୀ ବ୍ୟାଙ୍କ (PSU Banks) ନିଜ ନେଟୱର୍କରୁ ପ୍ରାୟ ୧୫,୦୦୦ ପୁରୁଣା ଏବଂ ଧୀର ଗତିର ଏଟିଏମ୍ (ATM) ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଗୁଡ଼ିକୁ ଅତ୍ୟାଧୁନିକ କ୍ୟାସ୍ ରିସାଇକ୍ଲର୍ ମେସିନ୍ (CRM) ଦ୍ୱାରା ବଦଳାଇବେ।ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଦେଶର ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ୧୫,୦୦୦ରୁ ଅଧିକ ପୁରୁଣା ଏଟିଏମ୍କୁ ଅପଗ୍ରେଡ୍ କରିବା ପାଇଁ ବ୍ୟାପକ ଭାବେ ଟେଣ୍ଡର ଜାରି କରୁଛନ୍ତି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକ ସୁବିଧା ବୃଦ୍ଧି କରିବା, ଠକେଇ ଓ ଜାଲିଆତିକୁ ରୋକିବା ଏବଂ ଡିଜିଟାଲ୍ ବ୍ୟାଙ୍କିଂ ଯୁଗରେ ନଗଦ ପରିଚାଳନା ଖର୍ଚ୍ଚକୁ କମାଇବା।ବ୍ୟାଙ୍କଗୁଡ଼ିକର ଏହି ନୂଆ ମାଷ୍ଟର ପ୍ଲାନ୍ ଅନୁଯାୟୀ, ଏଟିଏମ୍ ଆଉ କେବଳ ଟଙ୍କା ଉଠାଇବାର ମେସିନ୍ ହୋଇ ରହିବ ନାହିଁ। ଏହା ୨୪×୭ କାର୍ଯ୍ୟକ୍ଷମ ଏକ ‘ମିନି ବ୍ୟାଙ୍କ ଶାଖା’ ଭାବେ କାମ କରିବ। ଏହି ମେସିନ୍ଗୁଡ଼ିକୁ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ନେଟୱର୍କ ସହ ଯୋଡ଼ାଯିବ, ଯାହାଦ୍ୱାରା ଦେଶର କୋଟି କୋଟି ଗ୍ରାହକ ଅଧିକ ଦ୍ରୁତ ଓ ସୁରକ୍ଷିତ ସେବା ପାଇପାରିବେ।ଯଦି ଆପଣ ନିଜ ଡେବିଟ୍ କାର୍ଡ ଘରେ ଛାଡ଼ି ଆସିଛନ୍ତି, ତଥାପି ଚିନ୍ତାର କିଛି ନାହିଁ। ଏଟିଏମ୍ ସ୍କ୍ରିନ୍ରେ ଦେଖାଯାଉଥିବା QR କୋଡ୍କୁ Google Pay କିମ୍ବା PhonePe ପରି UPI ଆପ୍ରେ ସ୍କାନ୍ କରି ସିଧାସଳଖ ଟଙ୍କା ଉଠାଇପାରିବେ।ଠକେଇ ଓ ସାଇବର୍ ଜାଲିଆତିକୁ ରୋକିବା ପାଇଁ ଏହି ମେସିନ୍ରେ ଆଡଭାନ୍ସ ସିକ୍ୟୁରିଟି ସଫ୍ଟୱେର୍ ସ୍ଥାପନ କରାଯିବ।ଗୋଟିଏ ମେସିନ୍ରୁ ବାଲାନ୍ସ ଯାଞ୍ଚ, ମିନି ଷ୍ଟେଟମେଣ୍ଟ ପ୍ରିଣ୍ଟ, ଫଣ୍ଡ ଟ୍ରାନ୍ସଫର୍ ସମେତ ଅନେକ ବ୍ୟାଙ୍କିଂ ସେବାର ସୁବିଧା ମିଳିବ।ନୂଆ ପ୍ରଯୁକ୍ତି ଯୋଗୁଁ ଟ୍ରାଞ୍ଜାକ୍ସନ୍ ଅଧିକ ଦ୍ରୁତ ହେବ। ଏହା ଫଳରେ ଏଟିଏମ୍ ବାହାରେ ଲମ୍ବା ଲାଇନ୍ର ସମସ୍ୟା ମଧ୍ୟ କମିବ।ଏହି ପରିବର୍ତ୍ତନର ସବୁଠାରୁ ଅଧିକ ଲାଭ ଗ୍ରାମାଞ୍ଚଳ ଓ ଛୋଟ ସହରର ଲୋକମାନଙ୍କୁ ମିଳିବ, ଯେଉଁଠାରେ ବ୍ୟାଙ୍କ ଶାଖା ଦୂରରେ ଥାଏ। ଏହା ସହ ଛୋଟ ବ୍ୟବସାୟୀମାନେ ପ୍ରତିଦିନର ନଗଦ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କରେ ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ନାହିଁ।