ଗଣିଆରେ ଅଙ୍ଗନୱାଡ଼ି କେନ୍ଦ୍ର ପକ୍ଷରୁ ‘ଆଙ୍ଗନ କା ଉତ୍ସବ’ ପାଳିତ
ଗଣିଆ ( ବିଶ୍ୱରଂଜନ ସେଠି ): ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଗଣିଆ, ନୟାଗଡ଼ ଆନୁକୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ଗଣିଆ (୧) ଠାରେ ‘ଆଙ୍ଗନ କା ଉତ୍ସବ’ (ସାଦଖିଆ ଦିବସ) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣିଆ ସରପଞ୍ଚ ଗିରିଧାରୀ ସେଠି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିର ଦିନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଙ୍ଗନୱାଡ଼ି କର୍ମୀ, ଆଶା ସୁପରଭାଇଜର, କର୍ମଚାରୀ ଏବଂ ସ୍ଥାନୀୟ ମହିଳା ଓ ଶିଶୁମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିସରରେ ଶିଶୁ ଏବଂ ଗର୍ଭବତୀ/ପ୍ରସୂତି ମା’ମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତା ନେଇ ଚାଲିଥିବା ‘ପୋଷଣ ମାସ’ (ପୁଷ୍ଟି ଚକ୍ର) ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ କେନ୍ଦ୍ର ପରିସରରେ ରଙ୍ଗୋଲି ଏବଂ ଝୋଟି ମାଧ୍ୟମରେ “ସୁଭଦ୍ରା” ଯୋଜନା, ଜାତୀୟ ପତାକା ଏବଂ ମା’ ଓ ଶିଶୁ ସୁରକ୍ଷାର ସୁନ୍ଦର ଚିତ୍ର ଆଙ୍କି ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହିତ ଶିଶୁ ଏବଂ ମହିଳାମାନଙ୍କ ପାଇଁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୌଷ୍ଟିକ ଖାଦ୍ୟ ଓ ସୁସ୍ୱାଦୁ ବ୍ୟଞ୍ଜନ ପ୍ରଦର୍ଶନ କରାଯାଇଥିଲା। ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଧିକ ଆକର୍ଷଣୀୟ କରିବା ସହ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଏବଂ ମା’ମାନଙ୍କ ପୋଷଣ ସଚେତନତା ବୃଦ୍ଧି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।
