ପତୁରିଆ ନାଳରୁ ମୃତ ମଗର କୁମ୍ଭୀର ଉଦ୍ଧାର, ବ୍ୟବଚ୍ଛେଦ ପରେ କାଯ୍ୟଳୟ ପରିସରରେ ପୋତିଦିଆଗଲା
ଗଣିଆ (ବିଶ୍ୱରଂଜନ ସେଠି ): ଗଣିଆ ବନାଞ୍ଚଳ ଅଧୀନ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ନାଳରୁ ସୋମବାର ଅପରାହ୍ନରେ ଏକ ମୃତ ମଗର କୁମ୍ଭୀରର ଶବ ଉଦ୍ଧାର କରାଯାଇଛି।ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଲୋକମାନେ ପତୁରିଆ ନାଳରେ ଏକ ମୃତ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇ ଗଣିଆ ବନବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଖବର ପାଇ ଏସିଏଫ ସେତୁରଞ୍ଜନ ଗମାଙ୍ଗଙ୍କ ନିର୍ଦେଶକ୍ରମେ ବନପାଳ ମନୋଜ ପ୍ରଭାକର ସାହୁ ଓ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ମଗର କୁମ୍ଭୀରଟିକୁ ନାଳରୁ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଉଦ୍ଧାର କୁମ୍ଭୀରଟିର ଆନୁମାନିକ ବୟସ ପ୍ରାୟ ଦୁଇରୁ ତିନି ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି।

ବନବିଭାଗ କାର୍ଯ୍ୟାଳୟରେ ପ୍ରାଣୀଚିକିତ୍ସା ଅଧିକାରୀ ରାକେଶ କୁମାର ସାହୁ, ଏସିଏଫ ସେତୁରଞ୍ଜନ ଗମାଙ୍ଗ, ବନପାଳ ମନୋଜ ପ୍ରଭାକର ସାହୁ, ବନରଖି ବିପ୍ଲବୀ ନାୟକ, ସରପଞ୍ଚ ସଂଘର ସଭାପତି ମାନସ କୁମାର ମହାଖୁଡ଼, ଗଣିଆ ସରପଞ୍ଚ ଗିରିଧାରୀ ସେଠି , ବେଲପଡାପାଟଣା ସରପଞ୍ଚ ସୁକାନ୍ତ ଗଣ୍ଠିଆ, କରଡ଼ାପଡା ସରପଞ୍ଚଙ୍କ ପ୍ରତିନିଧି ସମୀର କୁମାର ସାହୁ ଓ ବନକର୍ମଚାରିମାନେ ଉପସ୍ଥିତ ରହି ମୃତ କୁମ୍ଭୀରଟିର ଶବ ବ୍ୟବଚ୍ଛେଦ କରାଯିବା ପରେ ଅଫିସ ପରିସର ମଧ୍ୟରେ ହିଁ ତାହାକୁ ପୋତି ଦିଆଯାଇଛି। ତେବେ କୁମ୍ଭୀରଟିର ମୃତ୍ୟୁ କିପରି ଓ କେଉଁ ପରିସ୍ଥିତିରେ ହେଲା, ସେ ନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
