ଗାଣିଆ ବ୍ଲକରେ ପାନୀୟ ଜଳ ସଙ୍କଟ: ପତୁରିଆ ଓ ପାଣ୍ଡାରା ସିଂହା ଓ ପତଣ୍ଡାରେ ଅଚଳ ନଳକୂପ, ପ୍ରଶାସନର ବେଖାତିର ଭାବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ଗାଣିଆ (ବିଶ୍ୱରଞ୍ଜନ ସେଠି ): ଗାଣିଆ ବ୍ଲକ ଅନ୍ତର୍ଗତ କିଶୋରପ୍ରସାଦପଞ୍ଚାୟତର ,ପୂର୍ଣ୍ଣିଚନ୍ଦ୍ରପୁର ପାଣ୍ଡରାସିଙ୍ଗା ଏବଂ ପତଣ୍ଡା ହରିଜନ ସାହିରେ ଦୀର୍ଘ ଦିନହେବ ନଳକୂପ ଅଚଳ ହୋଇ ପଡିରହିଛି । ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏପରିକି ସରକାର ପ୍ରତ୍ୟେକ ସୋମବାରବ୍ଳକରେ ଜନଶୁଣାଣୀ କରୁଥିବା ବେଳେ ପାନୀୟ ଜଳ ଯୋଗାଣ ବିଭାଗ କଣ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କିଶୋରପ୍ରସାଦସରପଞ୍ଚ ଗୀତାଞ୍ଜଳି ବେହେରା ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ।ସ୍ଥାନୀୟ ଅଞ୍ଚଳରେ ଥିବା ଅଧିକାଂଶ ନଳକୂପରୁ ପାଣି ବାହାରୁ ନ ଥିବା ବେଳେ କେତେକ ନଳକୂପର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅବ୍ୟବହୃତ ହୋଇ ପଡ଼ିରହିଛି। ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ଦୂରଦୂରାନ୍ତରୁ ପାଣି ବୋହି ଆଣୁଛନ୍ତି। କେତେକ ସ୍ଥାନରେ ଲୋକେ ଅସ୍ୱାସ୍ଥ୍ୟକର କୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହା ଦ୍ୱାରା ଅଞ୍ଚଳରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି ।ନଳକୂପଗୁଡ଼ିକର ମରାମତି ଏବଂ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ଗ୍ରାମବାସୀମାନେ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ପ୍ରଶାସନିକ ସ୍ତରରେ କେବଳ ପ୍ରତିଶ୍ରୁତି ମିଳୁଥିବା ବେଳେ ବାସ୍ତବରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ନଳକୂପଗୁଡ଼ିକୁ ମରାମତି କରିବା ସହ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ କିଶୋରପ୍ରସାଦ, ପତୁରିଆ ଓ ପତଣ୍ଡା ଗ୍ରାମର ଅଧିବାସୀମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନ ହୁଏ, ତେବେ ଗ୍ରାମବାସୀମାନେ ରାଜପଥରୋଧ ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି।