୪୪ ବର୍ଷ ପରେ ମହିଳା ହକିରେ ସ୍ୱର୍ଣ୍ଣ, ଟିମ୍ ଇଣ୍ଡିଆକୁ ମୋଦିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ମହିଳା ହକି ଟିମ୍ ୪୪ ବର୍ଷ ପରେ ପୋଡ଼ିୟମର ଶୀର୍ଷରେ ସ୍ଥାନ ପକ୍କା କରିଛି । ଫାଇନାଲରେ ଚୀନକୁ ୧-୦ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଐତିହାସିକ ବିଜୟ ପରେ ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିମର ଚମତ୍କାର ପ୍ରଦର୍ଶନ, ଉତ୍କୃଷ୍ଟ ଟିମ୍ୱର୍କ ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ହକି ପାଇଁ ଏହା ଏକ ବେଶ୍ ବିଶେଷ ମୁହୂର୍ତ୍ତ। ୪ ଦଶନ୍ଧିରୁ ଅଧିକ ସମୟ ପରେ ଏସିଆନ୍ ଗେମ୍ସରେ ମହିଳା ହକି ଟିମ୍ର ସ୍ୱର୍ଣ୍ଣ ବିଜୟ ସାରା ଦେଶକୁ ଖୁସି ଦେଇଛି । ଏହି ବିଜୟ ଟିମ୍ର ଉତ୍କୃଷ୍ଟ ସ୍କିଲ୍, ଟିମ୍ୱର୍କ ଓ ଦୃଢ଼ ମନୋବଳର ପରିଣାମ ବୋଲି ସେ କହିଛନ୍ତି ।ଫାଇନାଲ୍ ମ୍ୟାଚରେ ଏକମାତ୍ର ଗୋଲ୍ ଭାରତ ପାଇଁ ଲାଲରେମସିଆମି ହମାରଜୋଟେ କରିଥିଲେ । ସେ ମ୍ୟାଚ୍ର ପ୍ରଥମ କ୍ୱାଟରରେ ୧୦ମ ମିନିଟ୍ରେ ଏହି ଗୋଲ୍ ଦେଇଥିଲେ । ଭାରତ ପାଇଁ ୨୦୧୭ରେ ଡେବ୍ୟୁ କରିଥିବା ଲାଲରେମସିଆମିଙ୍କ ପାଇଁ ଏହା ଥିଲା ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ।