UP ଓ ବେଙ୍ଗଲ ସମେତ ୨୦ ରାଜ୍ୟରେ ଚାଲିବ ଭୋଟରଙ୍କ ଲାଗି ବିଶେଷ ଅଭିଯାନ
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଶେଷ ହେବା ପରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ନାମ ପଞ୍ଜୀକରଣ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥିରେ ବୁଥ ଲେବଲ ଅଫିସର (ବିଏଲଓ) ଲୋକଙ୍କ ଘରକୁ ଘର ବୁଲି ଭୋଟର ଲିଷ୍ଟର ଯାଞ୍ଚ କରିବେ, ଏହା ସହିତ ସେମାନେ ଭୋଟର ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କୁ ଏହାର ରିପୋର୍ଟ ଦେବେ। ଲୋକଙ୍କ ନାମ ଯୋଡିବାକୁ ଇଆରଓ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆୟୋଗ ରାଜ୍ୟଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ ଏହି କାମକୁ ମାସକରେ ଶେଷ କରାଯାଉ। ଏଣୁ ପ୍ରତ୍ୟେକ ବିଏଲଓଙ୍କୁ ସପ୍ତାହକରେ ଅନୁନ୍ୟ ୨୦ରୁ ୨୫ଟି ଘରକୁ ପହଞ୍ଚିବାକୁ ଲକ୍ଷ୍ୟ ଦିଆଯାଇଛି। ତେବେ ଏହା ପୂର୍ବରୁ ଆୟୋଗ ସବୁ ବିଏଲଓଙ୍କୁ ଏସଆଇଆର ପୂର୍ବର ଓ ଏସଆଇଆର ପରର ଚୂଡ଼ାନ୍ତ ଭୋଟର ଲିଷ୍ଟକୁ ମିଶାଇ ଯେଉଁ ଭୋଟରଙ୍କ ନାମ କଟି ଯାଇଛି ତାର ଏକ ତାଲିକା କରିବାକୁ କହିଛନ୍ତି। ପରେ ଏହି ସୂଚୀ ଆଧାରରେ ଲୋକଙ୍କ ଘରକୁ ଘର ଯାଇ ବାଦ ପଡିଥିବା ଅଥବା କଟି ଯାଇଥିବା ଭୋଟରଙ୍କ ଯାଞ୍ଚ କରିବେ।ଏହି ବୁଥ୍ୱାରୀ ତାଲିକାକୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଏବଂ ସମ୍ପୃକ୍ତ ଇଆରଓଙ୍କ ସହ ସେୟାର କରାଯିବ। ଇଆରଓମାନେ କ୍ଷେତ୍ର ଯାଞ୍ଚ ରିପୋର୍ଟ ସହ ଫର୍ମ-୬ ଆବେଦନଗ୍ରହଣ କରିବେ ଏବଂ ଲୋକପ୍ରତିନିଧି ଆଇନ, ୧୯୫୦ ଓ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦ ଅଧୀନରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।