ଓଡ଼ିଶାରେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ,ଓଡ଼ିଶା ବିଜେପିକୁ ମିଳିବ ଶକ୍ତି
ଓଡ଼ିଶା ବିଜେପିରେ ସଂଗଠନକୁ ମିଳିବ ବଳ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ।ବିଜେପି ପକ୍ଷରୁ ସେପ୍ଟେମ୍ବର ୨୩ରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।ଏହି ଦୁଇ ନେତାଙ୍କ ଗସ୍ତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ହେବ। ସାଙ୍ଗଠନିକ ଜିଲ୍ଲାଗୁଡ଼ିକର ପ୍ରଭାରୀଙ୍କ ସହ ଦଳର ସ୍ଥିତି, ସାଙ୍ଗଠନିକ କାର୍ଯ୍ୟକଳାପ ଓ ତୃଣମୂଳସ୍ତରରେ ଦଳର କାର୍ଯ୍ୟକୁ ନେଇ ଆଲୋଚନା କରାଯିବ। ପୁରନ୍ଦେଶ୍ୱରୀ ଏହି ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ମଧ୍ୟ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଙ୍ଗଠନିକ ପ୍ରସ୍ତୁତି ମଧ୍ୟ ଏହି ଗସ୍ତର ଏକ ପ୍ରମୁଖ ଦିଗ ହୋଇପାରେ।ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଏହାପରେ ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପୁରନ୍ଦେଶ୍ୱରୀ। ବିଶେଷକରି ଯେଉଁ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି, ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା କରିବେ। ଜିଲ୍ଲାସ୍ତରରେ ସଂଗଠନ କେତେଦୂର ସକ୍ରିୟ ରହିଛି, ତୃଣମୂଳସ୍ତରରେ ଦଳର କାର୍ଯ୍ୟକଳାପ କିଭଳି ଚାଲିଛି—ସେନେଇ ହୋଇପାରେ ବିସ୍ତୃତ ଆଲୋଚନା।