ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର । ଆଉ ଗଣିବାକୁ ପଡ଼ିବନି ଅଧିକ ଟଙ୍କା । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ୨୦୨୬-୨୭ ଆର୍ଥିକ ବର୍ଷରେ ଦର ବଢ଼ିବ ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସାମ୍ୱିଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । । ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି । OPTCL ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି । କମିଲା ବଲ୍କ ପାୱାର ଦର । ଡିସକମ୍ ଗୁଡ଼ିକ ଗ୍ରୀଡ୍ କୋରୁ କିଣୁଥିବା ବିଦ୍ୟୁତ ଦରରେ ସାମାନ୍ୟ (୦.୧୫ ପଇସା) ହ୍ରାସ ଘଟିଛି ।ଚତୁର୍ଥରେ ଶିଳ୍ପ ସଂସ୍ଥାଙ୍କୁ ରିହାତି ଦିଆଯାଇଛି। ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା EHT ଶିଳ୍ପଗୁଡ଼ିକ ପାଇଁ ରିହାତି ୨୦ ପଇସାରୁ ୩୦ ପଇସାକୁ ବୃଦ୍ଧି ପାଇଛି। ମେଗା ଲିଫ୍ଟ ଜଳସେଚନ ଗ୍ରାହକଙ୍କ ପାଇଁ କୌଣସି ଡିମାଣ୍ଡ ଚାର୍ଜ ଲାଗିବ ନାହିଁ। ସୌର ଶକ୍ତି ସମୟରେ ୟୁନିଟ୍ ପିଛା ୨ ଟଙ୍କା ଓ ଅନ୍ୟ ସମୟରେ ୧ ଟଙ୍କା ରିହାତି ମିଳିବ। ଘରୋଇ ଗ୍ରାହକଙ୍କୁ ୪% ରିହାତି ମିଳିବ। ଯଦି ଆପଣ ସମୟ ପୂର୍ବରୁ ଅନଲାଇନ୍ ରେ ସମ୍ପୂର୍ଣ୍ଣ ବିଲ୍ ପୈଠ କରନ୍ତି, ତେବେ ୪% ରିହାତି ପାଇବେ। ପ୍ରି-ପେଡ୍ ମିଟର ବ୍ୟବହାର କରୁଥିବା ଗ୍ରାହକଙ୍କୁ ମଧ୍ୟ ୪% ରିହାତି ମିଳିବ। ଇ-ବିଲ୍ ପାଇଁ ମଧ୍ୟ ରିହାତି ରହିଛି।ରାଜ୍ୟର HT ଲସ୍ ୮% ରୁ ୭% କୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଓପନ ଆକ୍ସେସ ଚାର୍ଜ ଲାଗିବ। ଅର୍ଥାତ ବାହାରୁ ବିଦ୍ୟୁତ ଆଣୁଥିବା ଶିଳ୍ପଗୁଡ଼ିକ ପାଇଁ ନୂଆ ସରଚାର୍ଜ ଓ ହୁଇଲିଂ ଚାର୍ଜ ଧାର୍ଯ୍ୟ ହୋଇଛି। ନୂଆ ନିୟମରେ ସ୍ମାର୍ଟ ମିଟର ଉପରେ ଜୋର ଦିଆଯାଇଛି। ବିଦ୍ୟୁତ କ୍ଷୟ ରୋକିବାକୁ ସମସ୍ତ ଫିଡର ଓ ଗ୍ରାହକଙ୍କ ପାଖରେ ସ୍ମାର୍ଟ ମିଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।