ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ NQAS ଟିମ୍ ପରିଦର୍ଶନ

ଗଣିଆ (ବିଶ୍ୱରଂଜନ ସେଠି )କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଏକ ସ୍ୱତନ୍ତ୍ର ମୂଲ୍ୟାଙ୍କନ ଟିମ୍ (External Assessors) ଆଜି ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଜାତୀୟ ଗୁଣାତ୍ମକ ନିଶ୍ଚିତକରଣ ମାନଦଣ୍ଡ (NQAS) ଆଧାରରେ ରୋଗୀ ସେବା, ଔଷଧର ଉପଲବ୍ଧତା, ରୋଗୀ ଅଧିକାର ଓ ସନ୍ତୁଷ୍ଟି, ସଂକ୍ରମଣ ନିୟନ୍ତ୍ରଣ (Infection Control), ବିଲ୍ଡିଂର ସ୍ୱଚ୍ଛତା, ରେକର୍ଡ଼ ସଂରକ୍ଷଣ, ଚିକିତ୍ସା ସେବାର ମାନ ଏବଂ ପ୍ରଶାସନିକ ପରିଚାଳନା ଭଳି ପ୍ରମୁଖ ୮ଟି ବିଭାଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ ।
ପରିଦର୍ଶନ ସମୟରେ ଟିମ୍ ସଦସ୍ୟମାନେ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଏବଂ ରୋଗୀମାନଙ୍କ ସହ ଆଲୋଚନା କରି ସେବା ପ୍ରଦାନର ଗୁଣବତ୍ତା ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ। ସେମାନେ ବିଭିନ୍ନ ବିଭାଗ ପରିଦର୍ଶନ କରି ଉପଲବ୍ଧ ଭିତ୍ତିଭୂମି, ଉପକରଣ ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗୁଣାତ୍ମକ ସେବା ପ୍ରଦାନ, ରୋଗୀ-ବନ୍ଧୁ ପରିବେଶ ସୃଷ୍ଟି ଏବଂ ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଟିମ୍‌ଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଏହି ପରିଦର୍ଶନ ସ୍ୱାସ୍ଥ୍ୟକେନ୍ଦ୍ରର ଗୁଣାତ୍ମକ ମାନ ବୃଦ୍ଧି ଓ ଭବିଷ୍ୟତରେ ଅଧିକ ଉନ୍ନତ ସେବା ପ୍ରଦାନ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।ଏହି ଅବସରରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ମଧୁସୂଦନ ଦାସ, ଜ୍ୟେଷ୍ଠ ଟିବି ଚିକିତ୍ସା ପର୍ଯ୍ୟବେକ୍ଷକ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୁଣବତ୍ତା ପରିଚାଳକ ଇତିଶ୍ରୀ ମିଶ୍ର, ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଦଳେଇ, ଡ. ବିଦୁଲତା ଦାଶ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।