ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ  ପହଞ୍ଚିଲା ସରିଆ ଧାନ

ନୂଆଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ। ବଲବସପୁରର ଏକ ପରିବାର ପ୍ରତିବର୍ଷ ସ୍ୱତନ୍ତ୍ର ଭାବେ ଏହି ଧାନ ଚାଷ କରିଥାନ୍ତି। ପରମ୍ପରା ଅନୁଯାୟୀ, ପରିବାରର ସଦସ୍ୟମାନେ ସମ୍ବଲପୁରର ମା’ ସମଲେଇଙ୍କ ମନ୍ଦିରକୁ ଆସି ଏହି ଧାନ ମୁଖ୍ୟ ପୂଜକଙ୍କୁ ହସ୍ତାନ୍ତର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ପାଇଁ ଏହି ପରିବାର ଏକ ସ୍ୱତନ୍ତ୍ର ଜମିରେ ଧାନ ଚାଷ କରିଥାନ୍ତି। ଯେଉଁଠି ପାଣି ଅଧିକ ଜମା ହେଉନଥିବ ସେହି ଜମିରେ ସରିଆ ଧାନ ଚାଷ ହୋଇଥାଏ | ଏହି ଧାନ 2 ମାସ ବା 60 ଦିନରେ ଅମଳ ହେଉଥିବାରୁ ଏହାକୁ ଷାଠିଏ ଧାନ ମଧ୍ୟ କୁହାଯାଏ | ଏହି ଧାନ ସମ୍ପୂର୍ଣ୍ଣ ରୂପେ ପାଚିବା ପୂର୍ବରୁ ଏହାକୁ ବିଲରୁ ଅଣାଯାଇ ସମଲେଶ୍ୱରୀ ମନ୍ଦିରକୁ ପଠାଯାଏ | ଏହି ଧାନକୁ କୌଣସି ପଶୁ ପକ୍ଷୀ ଯେମିତି ସ୍ପର୍ଶ କରି ନ ପାରିବେ ତା ଉପରେ ଧ୍ୟାନ ରଖାଯାଏ |ନୂଆଖାଇ ଦିନ ଏହି ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହି ପରମ୍ପରା ସହ ଜଡ଼ିତ ରହିଛି ସମ୍ବଲପୁରର ନୂଆଖାଇ ପର୍ବର ଗଭୀର ଧାର୍ମିକ ଓ ସାଂସ୍କୃତିକ ଭାବାବେଗ।