ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଜାତି ଏବଂ COVID-19 ଟୀକାକରଣ ସ୍ଥିତି ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କଠାରୁ ସୂଚନା ସଂଗ୍ରହ କରାଯିବ। ଏହା ୧୯୩୧ ପରେ ପ୍ରଥମ ବ୍ୟାପକ ଜାତି ଜନଗଣନା ହେବ।ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଲଦାଖ ବ୍ୟତୀତ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବରଫପାତ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏହି ଜନସଂଖ୍ୟା ଗଣନା କାମ ପ୍ରଥମେ ଆରମ୍ଭ ହେବ । ଏହି କ୍ଷେତ୍ରଗୁଡ଼ିକରେ ଗଣନା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଶୀତଦିନେ ପ୍ରବଳ ବରଫପାତ ଏବଂ ପାଗର ଜଟିଳତା ଯେପରି ସର୍ଭେ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନ କରେ, ସେଥିପାଇଁ ଏହି ସବୁ ଅଞ୍ଚଳରେ ସମୟ ଆଗରୁ ତଥ୍ୟ ସଂଗ୍ରହ କରାଯାଉଛି ।ଜନଗଣନା ପ୍ରଶ୍ନାବଳୀରେ ବ୍ୟକ୍ତିଙ୍କ ନାମ, ପରିବାର ମୁଖ୍ୟଙ୍କ ସହ ସମ୍ପର୍କ, ଲିଙ୍ଗ, ଜନ୍ମତାରିଖ ଓ ବୟସ, ବୈବାହିକ ସ୍ଥିତି, ବିବାହ ସମୟର ବୟସ, ସ୍ୱାମୀ କିମ୍ବା ପତ୍ନୀଙ୍କ ନାମ, ଜାତୀୟତା, ଧର୍ମ ଏବଂ ମାତାପିତାଙ୍କ ବିବରଣୀ ରହିଛି। ଦିବ୍ୟାଙ୍ଗତା, ମାତୃଭାଷା ଓ ଅନ୍ୟ ଭାଷା ଜ୍ଞାନ, ସାକ୍ଷରତା ଏବଂ ଡିଜିଟାଲ ସାକ୍ଷରତା ସମ୍ପର୍କରେ ମଧ୍ୟ ତଥ୍ୟ ନିଆଯିବ।ଶିକ୍ଷା ଓ ରୋଜଗାର ସମ୍ପର୍କିତ ତଥ୍ୟ ମଧ୍ୟ ଏଥର ବିସ୍ତୃତ ଭାବେ ସଂଗ୍ରହ ହେବ। କୌଣସି ଶିକ୍ଷାନୁଷ୍ଠାନରେ ଉପସ୍ଥିତି, ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା, ଷ୍ଟ୍ରିମ୍‌/ବିଷୟ, ଗତ ଏକ ବର୍ଷରେ କାମ କରିଥିଲେ କି ନାହିଁ, ଆର୍ଥିକ କାର୍ୟ୍ୟକଳାପର ଶ୍ରେଣୀ, ବୃତ୍ତି, ଶିଳ୍ପ/ବାଣିଜ୍ୟ/ସେବାର ପ୍ରକାର ଏବଂ ଶ୍ରମିକଙ୍କ ଶ୍ରେଣୀ ଭଳି ତଥ୍ୟ ନିଆଯିବ। କାମ ଖୋଜୁଥିବା ବ୍ୟକ୍ତି ଓ କାମ ପାଇଁ ଉପଲବ୍ଧ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ପ୍ରଶ୍ନ ରହିଛି।ପ୍ରବାସ ସମ୍ପର୍କିତ ତଥ୍ୟ ପାଇଁ ଜନ୍ମସ୍ଥାନ, ଶେଷ ଥର ରହୁଥିବା ସ୍ଥାନ, ପ୍ରବାସର କାରଣ, ନୂଆ ସ୍ଥାନରେ କେତେ ବର୍ଷ ଧରି ରହୁଛନ୍ତି ଏବଂ ସ୍ଥାୟୀ ବାସସ୍ଥାନର ଠିକଣା ପଚରାଯିବ। ବର୍ତ୍ତମାନ ବିବାହିତ, ବିଧବା, ଛାଡ଼ପତ୍ରପ୍ରାପ୍ତ କିମ୍ବା ଅଲଗା ରହୁଥିବା ମହିଳାଙ୍କୁ ସନ୍ତାନ ସମ୍ପର୍କିତ ତଥ୍ୟ ମଧ୍ୟ ପଚରାଯିବ।

ଆଧାର, ବ୍ୟାଙ୍କ ଖାତା ଓ ଭୋଟର କାର୍ଡର ତଥ୍ୟ
ଜନଗଣନା-୨୦୨୭ର ପ୍ରଶ୍ନାବଳୀରେ ପରିଚୟ ଓ ଆର୍ଥିକ ସେବା ସମ୍ପର୍କିତ ତଥ୍ୟକୁ ମଧ୍ୟ ସାମିଲ କରାଯାଇଛି। କୋଭିଡ୍‌-୧୯ ଟିକାକରଣର ସ୍ଥାନ, ମୋଟ ବ୍ୟାଙ୍କ ଖାତା ସଂଖ୍ୟା, ମୋବାଇଲ ନମ୍ବର, ଆଧାର ନମ୍ବର, ଭୋଟର ଆଇଡି ନମ୍ବର, ଭାରତୀୟ ପାସପୋର୍ଟ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ—ଏସବୁ ତଥ୍ୟ ସଂଗ୍ରହ କରାଯିବ। ମୋବାଇଲ, ଆଧାର ଓ ଭୋଟର ଆଇଡି ପାଇଁ ‘ଯଦି ଉପଲବ୍ଧ’ ବୋଲି ଉଲ୍ଲେଖ ରହିଛି।