ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି: ରାଷ୍ଟ୍ରପତି

୮୦ତମ ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ସର୍ବଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶବାସୀ ଏକଜୁଟ ହୋଇ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଛନ୍ତି।। ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ସମ୍ବିଧାନରେ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରା ଭଳି ମୂଳ ମୂଲ୍ୟବୋଧକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ଏହି ଆଦର୍ଶଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା, ସମାଜ ପାଇଁ ନିଷ୍ଠାର ସହ ଅବଦାନ ରଖିବା ଏବଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସୁସ୍ଥ ପରିବେଶ ଯୋଗାଇ ଦେଇଥାଏ । ଆଧୁନିକ ଭାରତ ନିର୍ମାଣ ସହିତ ସମାନତାର ଆଧାରରେ ପ୍ରତ୍ୟେକ ନାଗରିକଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଯେ ପ୍ରାୟ ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ଏହାର ଗୁରୁତ୍ୱ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଯୁବବର୍ଗଙ୍କୁ ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ସେମାନଙ୍କ ଦକ୍ଷତା ଓ ଅବଦାନର ପ୍ରଶଂସା କରିଛନ୍ତି। ଯୁବଶକ୍ତିର ସକ୍ରିୟ ଭୂମିକା ଯୋଗୁଁ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟିଛି ବୋଲି ସେ କହିଛନ୍ତି।ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ନିର୍ମାତା ବୋଲି ରାଷ୍ଟ୍ରପତି ମତ ଦେବା ସହ ପରୀକ୍ଷା ବ୍ୟବସ୍ଥାରେ ଅଧିକ ସୁଧାର ଆଣିବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।