ଏଣିକି NHରେ ୧୦ ମିନିଟ୍‌ରେ ପହଞ୍ଚିବ ଆମ୍ବୁଲାନ୍ସ୍, ବିଳମ୍ବ ହେଲେ ୧୦ ହଜାର ଟଙ୍କା ଜୋରିମାନା

ସରକାରୀ ଉଦ୍ୟୋଗ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ତୁରନ୍ତ ଜରୁରୀକାଳୀନ ସେବା ଯୋଗାଇବା ଉଦ୍ଦେଶ୍ୟରେ ଜାତୀୟ ରାଜପଥରେ ନିୟୋଜିତ ଆମ୍ବୁଲାନ୍ସ ପାଇଁ ନୂଆ ସମୟସୀମା ଧାର୍ଯ୍ୟ କରିଛି। ଏହି ନିୟମ ଅନୁଯାୟୀ, ୧୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସକୁ ୧୦ ମିନିଟ୍ ମଧ୍ୟରେ ପହଞ୍ଚିବାକୁ ପଡ଼ିବ। ଧାର୍ଯ୍ୟ ସମୟସୀମା ପାଳନ ନକଲେ ପ୍ରତି ଘଟଣା ପାଇଁ ୧୦ ହଜାର ଟଙ୍କା ଜରିମାନା ଲାଗିପାରେ ବୋଲି ପ୍ରାଧିକରଣ କହିଛି।ନୂଆ ନିୟମରେ NHAI କହିଛି, “ଘଟଣାସ୍ଥଳର ଅବସ୍ଥାନ ଆଧାରରେ ୧୦ କିଲୋମିଟର ଦୂରତା ମଧ୍ୟରେ ଥିବା ଯେକୌଣସି ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବାକୁ ୧୦ ମିନିଟ୍‌ରୁ ଅଧିକ ସମୟ ଲାଗିବା ଉଚିତ ନୁହେଁ।” ଏଥିସହ ପ୍ରାଧିକରଣ କହିଛି, ୧୦ କିଲୋମିଟରରୁ ଅଧିକ ଦୂରରେ ଥିବା ଦୁର୍ଘଟଣାସ୍ଥଳ ପାଇଁ ଧାର୍ଯ୍ୟ ସମୟକୁ ସେହି ଅନୁପାତରେ ବଢ଼ାଯିବ। ଏହାର ଯାଞ୍ଚ GPS ତଥ୍ୟ କିମ୍ବା ଇଭେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍‌ର ଡ୍ୟାସ୍‌ବୋର୍ଡ ମାଧ୍ୟମରେ କରାଯିବ।ସୂଚନାଯୋଗ୍ୟ; NHAI ଅଧୀନରେ ପ୍ରାୟ ୫୦,୦୦୦ କିଲୋମିଟର ଲମ୍ବା ଜାତୀୟ ରାଜପଥରେ ପ୍ରାୟ ୩,୦୦୦ ଆମ୍ବୁଲାନ୍ସ ଏବଂ ୧,୦୦୦ ପାଟ୍ରୋଲିଂ ଗାଡ଼ି ଓ କ୍ରେନ୍ ନିୟୋଜିତ ଅଛନ୍ତି।