ତିନି କୋଟି ଟଙ୍କାରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ: ୨ ପୂର୍ବତନ ଅଧିକାରୀ ଗିରଫ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ମାମଲାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ। ତିନି କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ବ୍ଲକ୍ର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ PEO ପ୍ରଦୀପ୍ତ କୁମାର ମଲ୍ଲିକ। ପ୍ରଦୀପ୍ତ କୁମାର ମଲ୍ଲିକ ଅବସରପ୍ରାପ୍ତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ତିର୍ତ୍ତୋଲ ବ୍ଲକ୍ର ପୂର୍ବତନ AEE ସ୍ୱର୍ଗତ ରାଜଦୀପ ହାଁସଦାଙ୍କ ନାମ ମଧ୍ୟ ରହିଛି। ଉଭୟ ସରକାରୀ ପାଣ୍ଠିର ୩,୦୨,୯୫,୦୦୦ ଟଙ୍କା ଆତ୍ମସାତ କରିଥିବା ନେଇ ଗିରଫ କରାଯାଇଛି।
୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟାପକ ତଦନ୍ତ ସମୟରେ ଭିଜିଲାନ୍ସ ବିଭାଗ ତିର୍ତୋଲ ବ୍ଲକ କାର୍ଯ୍ୟାଳୟରେ ପୂର୍ବତନ ଏସ୍ଆରଏ ଭଞ୍ଜ କିଶୋର ବେହେରା, ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ପୂର୍ବତନ ଏଇଇ ସ୍ୱର୍ଗତ ରାଜଦୀପ ହାଂସଦାଙ୍କ ଦ୍ୱାରା ଏକ ରୀତିମତ ଭାବରେ ସମ୍ପାଦିତ ଆର୍ଥିକ ଠକେଇ ନେଇ ଜାଣିବାକୁ ପାଇଛି। ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଫର୍ଜି ବେତନ ବିଲ୍ ଜରିଆରେ ହେରଫେର କରାଯାଇଥିବା ସରକାରୀ ଅର୍ଥକୁ ଅଭିଯୁକ୍ତମାନଙ୍କ ବ୍ୟକ୍ତିଗତ ଜମା ଖାତାକୁ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ଶ୍ରୀ ବେହେରା ଏବଂ ଶ୍ରୀ ମଲ୍ଲିକଙ୍କୁ ଆଜି କଟକସ୍ଥିତ ଭିଜିଲାନ୍ସଙ୍କ କୋର୍ଟକୁ ପଠାଇଛି। ମାମଲାର ତଦନ୍ତ ବର୍ତ୍ତମାନ ଜାରି ରହିଛି।