ପଞ୍ଜୁରୀରେ ପଶିଗଲା ନାଗ ସାପ ; ୨ ଚଢେଇଙ୍କୁ ଗିଳିଦେଲା

କଟକ ବାଙ୍କୀର ଇଲେଟ୍ରିକ୍ ଅଫିସ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଚଢ଼େଇ ପଞ୍ଜୁରୀ ଭିତରେ ନାଗ ସାପ ପଶିଯାଇଛି। ଦୁଇଟି ଚଢ଼େଇକୁ ଶିକାର କରିବା ସହ ପଞ୍ଜୁରୀ ଭିତରେ ପଶି ଫଁ ଫଁ କରି ରୌଦ୍ର ରୂପ ଦେଖାଇଛି। ସୂଚନା ଅନୁଯାୟୀ, ବାଙ୍କୀ ବଜାର ନିକଟସ୍ଥ ପ୍ରଶାନ୍ତ ମିଶ୍ରଙ୍କ ଘରେ ଗତକାଲି ଅପରାହ୍ନ ସମୟରେ ଏକ ୪ ଫୁଟର ନାଗ ସାପ ପଶି ଆସିଥିଲା । ଘର ବାରଣ୍ଡାରେ ଟଙ୍ଗା ଯାଇଥିବା ଚଢେଇ ପଞ୍ଜୁରୀ ଭିତରେ ସୁଯୋଗ ପାଇ ସାପଟି ପଶିଥିଲା । ସେଠାରେ ଥିବା ୨ଟି ପୋଷା ଚଢେଇଙ୍କୁ ସାପଟି ଗୋଟି ଗୋଟି କରି ଗିଳି ଦେଇଥିଲା ।

ଚଢ଼େଇ ଖାଇ ସାରିବା ପରେ ଆଉ ପଞ୍ଜୁରୀ ଭିତରୁ ବାହାରିପାରିନଥିଲା। ବାହାରିବାକୁ ଚେଷ୍ଟା କରି ବିଫଳ ହେବା ପରେ ନାଗ ସାପଟି ପଞ୍ଜୁରୀ ଭିତରେ ଭୟଙ୍କର ଭାବେ ଗର୍ଜନ କରିବାକୁ ଲାଗିଥିଲା । ସାପର ଗର୍ଜନ ଶୁଣି ପରିବାର ଲୋକେ ସେଠାକୁ ଯାଇ ଦେଖିବା ବେଳକୁ ପଞ୍ଜୁରୀ ଭିତରେ ନାଗକୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ତୁରନ୍ତ ଏନେଇ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ୍ କରି ଜଣାଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ସାପଟିକୁ ପଞ୍ଜୁରୀ ଭିତରୁ ଉଦ୍ଧାର କରିଥିଲେ । ବର୍ଷା ଦିନ ଥିବାରୁ ଏବେ ସାପଙ୍କ ଚଳପ୍ରଚଳ ବଢ଼ିଛି। ଏଇ ସମୟରେ ଘରେ ସଫା ସୁତୁରା ରଖିବା ସହ ଚଢ଼େଇ ରଖିଥିଲେ ଅଧିକ ଯତ୍ନ ନେବା ଜୁରୁରୀ।