ପାଣି ନ ଛାଡିବାରୁ ବନ୍ୟା କ୍ଷୟକ୍ଷତି ଆକଳନରେ ବିଳମ୍ବ ହେଉଛି : ରାଜସ୍ବ ମନ୍ତ୍ରୀ
ଗୋଟିଏ ବନ୍ୟା ନ ସରୁଣୁ ପୁଣି ଆଉ ଏକ ବନ୍ୟା ଆସିବା ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଳ ନିଷ୍କାସନ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।ଏଲନିନୋ କାରଣରୁ କମ ବୃଷ୍ଟି ପାତ ହେବ ବୋଲି ଆକଳନ ହୋଇଥିଲା । ୬୫% ଅଧିକରୁ ବୃଷ୍ଟିପାତ ହେଲା | ଉତ୍ତର ଓଡିଶାର କିଛି ନଦୀରେ ଜଳ ପତନ ବୃଦ୍ଧି ପାଇଛି କିନ୍ତୁ ବିପଦ ସଂକେତ ପାଖକୁ ପହଂଚି ନାହିଁ | କିନ୍ତୁ ୨୪ ଘଣ୍ଟା ପ୍ରବଳରୁ ପ୍ରବଳ ବର୍ଷା ହେବ । ଜଳସେଚନ ବିଭାଗ ସଚେତନ ଅଛନ୍ତି । ଏସଆରସି ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି, ଜିଲ୍ଲପାଳ ମାନଙ୍କ ସହିତ ସମ୍ପର୍କରେ ଅଛନ୍ତି | ଦୁଇ ତିନି ସପ୍ତାହରେ ଆସିଥିବା ଦୁଇରୁ ଅଧିକ ବନ୍ୟା ଆସିଛି, ଏହାକୁ ମଧ୍ୟ ସଫଳତାର ସହିତ ମୁକାବିଲା କରିବୁ ବୋଲି କହିଛନ୍ତି।ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବନ୍ୟାଜଳ ସହଜରେ ନିଷ୍କାସିତ ନହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଗୋଆ ଏବଂ କେରଳ ଗସ୍ତ କରି ସେଠାକାର ‘ଡ୍ରେନେଜ୍ ମଡେଲ୍’ ଅନୁଧ୍ୟାନ କରିଛନ୍ତି । ଜଳ ନିଷ୍କାସନ ପାଇଁ କିଛି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଏହି ସବୁ ଜିଲ୍ଲାଗୁଡ଼ିକର ମୁଖ୍ୟ ନଦୀଗୁଡ଼ିକରେ ଡ୍ରେଜିଂ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସହରାଞ୍ଚଳରେ ଜବରଦଖଲ ଯୋଗୁଁ ଡ୍ରେନ୍ ସଙ୍କୁଚିତ ହୋଇ ବାରମ୍ବାର ‘ସହରୀ ବନ୍ୟା’ ଦେଖାଦେଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ବଡ଼ ପଦକ୍ଷେପ ନେଇଛି । କଟକ, ଭୁବନେଶ୍ୱର, ପୁରୀ ଓ ରାଉରକେଲା ସମେତ ରାଜ୍ୟର ୧୦ଟି ମୁଖ୍ୟ ସହରର ଡ୍ରେନେଜ୍ ସିଷ୍ଟମ୍ ସଜାଡ଼ିବାକୁ ଯୋଜନା କରାଯାଇଛି । ନଗର ଉନ୍ନୟନ ବିଭାଗ ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରିବ ଏବଂ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସହରାଞ୍ଚଳ ଜଳବନ୍ଦୀ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।