ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ ଅନୁଯାୟୀ କରାଯିବ। ଏୟାର ଇଣ୍ଡିଆ କହିଛି ଯେ ତାଲିମ ଏବଂ ଉଡ଼ାଣ ଦାୟିତ୍ୱ ପରେ ପାଇଲଟମାନେ ପରୀକ୍ଷା କରିବେ। ସ୍କ୍ରିନିଂ ଗୁରୁଗ୍ରାମ ଏକାଡେମୀ, ଫ୍ଲାଇଟ ବ୍ରିଫିଂ ସେଣ୍ଟର ଏବଂ ବେସ ସ୍ଥାନରେ କରାଯିବ। ଏୟାର ଇଣ୍ଡିଆ ଅନୁଯାୟୀ, DGCA ନିୟମାବଳୀ ୟୁରୋପୀୟ ଏବଂ ଆମେରିକୀୟ ମାନଦଣ୍ଡ ସହିତ ସମାନ।ସୂଚନାଯୋଗ୍ୟ, ଅଗଷ୍ଟ ୪ ତାରିଖରେ ଦିଲ୍ଲୀରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆର AI2379 ବିମାନରେ ଟର୍ବୁଲାନ୍ସ ହୋଇଥିଲା । ଫୁକେଟରୁ ଦିଲ୍ଲୀ ଫେରିବା ସମୟରେ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଥିଲା । ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଘଟଣାର ତଦନ୍ତ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB କରୁଛି। ଏହି ମାମଲାରେ ପାଇଲଟଙ୍କ ଦ୍ୱାରା କଥିତ ଭାବେ ଗଞ୍ଜେଇ ସେବନ କରାଯାଇଥିବା ଦାବି ସାମ୍ନାକୁ ଆସିଛି । ଜଣେ କ୍ରୁ ସଦସ୍ୟ ଏନେଇ ଅଭିଯୋଗ କରିଥିବା ମଧ୍ୟ କୁହାଯାଇଛି ।ସୂତ୍ର ଅନୁଯାୟୀ, ବିମାନ AI2379 ସହିତ ଜଡିତ ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତିନି ଜଣ ବରିଷ୍ଠ ବିମାନ ଅଧିକାରୀଙ୍କୁ ବୈଠକ ପାଇଁ ଡକାଇଥିଲା।