ତ୍ରିରଙ୍ଗା ଆଲୋକରେ ଝଲସୁଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର
ପୁରୀ :- 13/08/2026 ୮୦ତମ ସ୍ୱାଧୀନତା ଦିବସ ଅବସର ରେ ଦେଶପ୍ରେମର ରଙ୍ଗରେ ରଙ୍ଗୀନ ହୋଇଛି ଓଡ଼ିଶାର ଗର୍ବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଜାତୀୟ ପତାକାର ତିନି ରଙ୍ଗ – ଆଲୋକରେ ଆଲୋକିତ ହୋଇ ରାତି ସମୟରେ ଅପୂର୍ବ ଶୋଭା ବଢାଉଛି ଏହି ଐତିହାସିକ ସୂର୍ଯ୍ୟମନ୍ଦିର। ଏହା ଅଗଷ୍ଟ 13 ତାରିଖରୁ ଆରମ୍ଭ ହୋଇଥିବା ଏହି ତ୍ରିରଙ୍ଗାୟିତ ଆଲୋକସଜ୍ଜା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦିନରେ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଦେଖିବା ସହ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ତ୍ରିରଙ୍ଗା ଆଲୋକରେ ଝଟକିବ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ASI ଅଧିକାରୀ ତ୍ରିଲୋକନାଥ ବେହେରା। ମନ୍ଦିରର ଶିଖର,ମଝି ଏବଂ ପାଦ ପଥ ଆଲୋକରେ ସଜେଇ ହୋଇଛି। ଏହି ତ୍ରିରଙ୍ଗା ଆଲୋକ ଦେଶର ଏକତା ଓ ଅଖଣ୍ଡତାର ସନ୍ଦେଶ ଦେଉଛି।ଏହା ଶହ ଶୌର୍ଯ୍ୟ ଓ ତ୍ୟାଗର ପ୍ରତୀକ,ସତ୍ୟ, ଶାନ୍ତି ଓ ପବିତ୍ରତା ପ୍ରତୀକ,ବିଶ୍ୱାସ ଓ ସମୃଦ୍ଧିର ପ୍ରତୀକ। ଏହି ଦୃଶ୍ୟ ଦେଖିବା ପାଇଁ ଦେଶ-ବିଦେଶରୁ ଶତାଧିକ ପର୍ଯ୍ୟଟକ କୋଣାର୍କକୁ ଆସୁଛନ୍ତି। ସନ୍ଧ୍ୟା ହେବା ମାତ୍ରେ ତ୍ରିରଙ୍ଗା ରଙ୍ଗରେ ସଜେଇ ହୋଇଥିବା ସୂର୍ଯ୍ୟ ମନ୍ଦିରର ମନୋରମ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦ ଲାଭ କରୁଛନ୍ତି। ଅନେକେ ସେଲ୍ଫି ଓ ଫଟୋ ଉଠାଇ ଏହି ମୁହୂର୍ତ୍ତକୁ ମନେ ରଖିବାକୁ ଚାହୁଁଛନ୍ତି।ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ASI ପକ୍ଷରୁ କରାଯାଇଥିବା ଏହି ଉଦ୍ୟମ ସତରେ ପ୍ରଶଂସନୀୟ। କୋଣାର୍କ ଭଳି ଏକ ବିଶ୍ୱ ଐତିହ୍ୟ ସ୍ଥଳୀ ତ୍ରିରଙ୍ଗା ଆଲୋକରେ ସଜେଇ ହେବା ଦ୍ୱାରା କେବଳ ଦେଶପ୍ରେମର ଭାବନା ହିଁ ଜାଗ୍ରତ ହେଉନାହିଁ, ଓଡ଼ିଶା ପର୍ଯ୍ୟଟନକୁ ମଧ୍ୟ ଏକ ନୂଆ ପରିଚୟ ମିଳୁଛି।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ