ଟିକେଟ କଲେକ୍ଟରରୁ ଶ୍ରେଷ୍ଠ କ୍ରିକେଟର,୪୫ ବର୍ଷରେ ମହେନ୍ଦ୍ର ସିଂ ଧୋନି
ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଧୋନିଙ୍କୁ ଏବେ ୪୫ ବର୍ଷ ବୟସ ହୋଇଛି । କ୍ରିକେଟ ଜଗତରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କ୍ୟାପଟେନ କୁଲ ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲରେ ଚର୍ଚ୍ଚାରେ ଅଛନ୍ତି । ରୋଜଗାର କ୍ଷେତ୍ରରେ ଧୋନି ବେଶ ଆଗରେ ରହିଛନ୍ତି । କ୍ରିକେଟ ବ୍ୟତିତ ସେ ବିଭିନ୍ନ ଉତ୍ସରୁ ବହୁତ ରୋଜଗାର କରନ୍ତି । ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଜନ୍ମଦିନ ପାଳନ କରୁଛନ୍ତି ଫ୍ୟାନ୍ସ ।। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଝାଡ଼ଖଣ୍ଡର ଏହି ୱିକେଟକିପର ବ୍ୟାଟର ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।ତା’ପରେ ଧୋନି ଗୋଟିଏ ପରେ ଗୋଟିଏ ଇତିହାସ ରଚିଚାଲିଲେ । ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟରୁ ୨୭ଟି ଜିତିଛି । ସେହିପରି ୨୦୦ ଦିନିକିଆରେ ଧୋନି ୧୧୦ଟି ମ୍ୟାଚ୍ ଜିତିଥିବା ବେଳେ ୭୧ ଟି-୨୦ ମ୍ୟାଚରେ ୪୧ଟି ବିଜୟ ହାସଲ କରିଛନ୍ତି । କ୍ରିକେଟରୁ ଅବସର ପରେ ମଧ୍ୟ ଧୋନିଙ୍କ ଚାହିଦାରେ କୌଣସି ହ୍ରାସ ହେଇନି । ସେ ବିଭିନ୍ନ କମ୍ପାନୀର ବିଜ୍ଞାପନ କରନ୍ତି । ଏଥିରୁ ତାଙ୍କର କୋଟି କୋଟି ଆୟ ହୁଏ । ସେ ବଡ଼ ନିବେଶକ ମଧ୍ୟ । ନିବେଶକ ଭାବେ ସେ ଅନେକ ଷ୍ଟାର୍ଟଅପରେ ନିବେଶ କରନ୍ତି । ଏଥିରୁ ଭଲ ରିଟର୍ଣ୍ଣ ମିଳେ ।ତାଙ୍କର ଏକ ବିଳାଶପୂର୍ଣ୍ଣ ଫାର୍ମ ହାଉସ ରହିଛି । ବିଭିନ୍ନ ସମୟରେ ତାଙ୍କ ଫାର୍ମହାଉସରେ ଚାଷ କରୁଥିବାର ଭିଡିଓ ଆପଣ ଦେଖିଥିବେ । ଡେରାଡୁନରେ ତାଙ୍କର କୋଟି କୋଟି ଟଙ୍କାର ଘର ରହିଛି । ରାଞ୍ଚିରେ ତାଙ୍କର ୪୩ ଏକର ଜମିରେ ଏକ ଫାର୍ମହାଉସ ରହିଛି ।