ଟ୍ରେନରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନିକଟରେ ଦୁଇଟି ଭିନ୍ନ ଭିନ୍ନ ଭିଡିଓ ରେଳବାଇର ଦୁଇଟି ଭିନ୍ନ ଚିତ୍ରକୁ ସାମ୍ନାକୁ ଆଣିଛି, ଯାହାକୁ ନେଇ ସାଧାରଣରେ ବେଶ୍ ଆଗ୍ରହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଉତ୍ତର ରେଳବାଇର ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଚଳନ୍ତା ଟ୍ରେନ୍ ଭିତରେ ପଣ୍ଡିତଙ୍କ ଗହଣରେ ମନ୍ତ୍ରୋଚାରଣ ସହ ଶିବଙ୍କ ରୁଦ୍ରାଭିଷେକ ଚାଲିଛି। ଏହି ଭିଡିଓ ଦେଖି ଅନେକେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ସର୍ବସାଧାରଣ ପରିବହନରେ ଏଭଳି ଧାର୍ମିକ ଅନୁଷ୍ଠାନ ପାଇଁ ଅନୁମତି ମିଳିଲା କେମିତି? ତେବେ ରେଳବାଇ ଏହାର ସ୍ପଷ୍ଟୀକରଣ ଦେଇ କହିଛି ଯେ, ଏହା କୌଣସି ସାଧାରଣ ବଗି ନଥିଲା। ଏହା ଥିଲା ଏକ ‘ସାଲୁନ୍ କୋଚ୍’। ୮ ଜୁଲାଇରେ ଆଇଆରସିଟିସି ମାଧ୍ୟମରେ ବୁକ୍ କରାଯାଇଥିଲା। ସମ୍ପୃକ୍ତ ପକ୍ଷ ବାଣିଜ୍ୟିକ ବର୍ଗ ଅଧୀନରେ ବୁକିଂ ପାଇଁ ୩,୦୮,୫୮୦ ଟଙ୍କାର ଅଗ୍ରିମ ଦେୟ ଦେଇଥିଲେ। ଏହି ସ୍ୱତନ୍ତ୍ର କୋଚ୍ ୧୦ ଜୁଲାଇରେ ନୂଆଦିଲ୍ଲୀରୁ ମୁମ୍ବାଇ ସେଣ୍ଟ୍ରାଲ୍ ଯାଉଥିବା ପଶ୍ଚିମ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୯୨୬) ସହିତ ସଂଯୁକ୍ତ ହୋଇଥିଲା। ରେଳବାଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯାତ୍ରା ସମୟରେ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯାଇଥିଲା ଏବଂ କୌଣସି ଅପ୍ରୀତିକର ଘଟଣା କିମ୍ବା ଦୁର୍ଘଟଣାର ରିପୋର୍ଟ ନାହିଁ।ସାଲୁନ୍ କୋଚ୍ ହେଉଛି ରେଳବାଇର ଏକ ପ୍ରିମିୟମ୍ ସୁବିଧା, ଯେଉଁଠି ଶୋଇବା ଘର, ରୋଷେଇ ଘର ଏବଂ ଶୌଚାଳୟ ଭଳି ସମସ୍ତ ବିଳାସପୂର୍ଣ୍ଣ ବ୍ୟବସ୍ଥା ଥାଏ । ଏହା ଏକ ‘ଚଳନ୍ତା ଘର’ ଭଳି । ନିୟମ ଅନୁସାରେ, ଏହି କୋଚ୍ ବୁକ୍ କରିଥିବା ବ୍ୟକ୍ତି ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମ କରିପାରିବେ, ଯେ ପର୍ଯ୍ୟନ୍ତ ଏହା ସୁରକ୍ଷା ନିୟମକୁ ଉଲ୍ଲଂଘନ କରୁନାହିଁ।