ଡିକେ ଶିବକୁମାର ବିଧାୟକ ଦଳ ନେତା ନିର୍ବାଚିତ, ଜୁନ୍ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଡିକେ ଶିବକୁମାର କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ସେ ଜୁନ୍ ୩ରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି ।ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦୁଇ ଦିନ ପରେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି ଦଳ। ୨୦୨୩ କର୍ଣ୍ଣାଟକ ନିର୍ବାଚନରେ ଦଳ ବିଜୟୀ ହେବା ପରେ ସିଦ୍ଧରମୈୟା ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ଷମତାରେ ତାଙ୍କ କାର୍ଯ୍ୟକାଳର ଅଧାରୁ ଅଧିକ ସମୟ ପୂରଣ କରିଛନ୍ତି। ୨୦୨୩ରେ ଦଳ ବିଜୟୀ ହେବା ପରଠାରୁ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମଧ୍ୟରେ କ୍ଷମତା ବଣ୍ଟନ ନେଇ ଲଗାତାର ଆଲୋଚନା ହେଉଥିଲା। ଯାହାକୁ ସେ ସମୟରେ ଦଳର କେନ୍ଦ୍ରୀୟ ନେତୃତ୍ୱ ସମର୍ଥନ କରିଥିଲେ। ଏହି ସିଦ୍ଧାନ୍ତ ଅନୁସାରେ ଅଢ଼େଇ ବର୍ଷ ପରେ କ୍ଷମତା ହସ୍ତାନ୍ତର କରା ଯାଇଛି।