ଡିସେମ୍ବର ଯାଏ ରହିବେ କ୍ବାରେନଣ୍ଟାଇନରେ ଓରାଙ୍ଗଉଟାନ

ଗତ ସେପ୍ଟେମ୍ବର 8ରେ ବାଲେଶ୍ବରର ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଏବେ ଭଲ ରହିଥିବା ବେଳେ ସେମାନଙ୍କ ଓଜନ ମଧ୍ୟ କ୍ରମାଗତ ଭାବେ ବଢ଼ୁଛି । ତେବେ ପ୍ରତ୍ୟେକ ଦିନ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ୫ଟି ଯାକ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଥିବା ବେଳେ ସେମାନଙ୍କ ଭୋକ ଓ ଖାଦ୍ୟ ଗ୍ରହଣ କ୍ଷମତାରେ ଉନ୍ନତି ଆସିଛି । ଶାବକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତିକୁ ଦୃଷ୍ଟିରେ ରଖି ଖାଦ୍ୟର ପରିମାଣ ଧୀରେ ଧୀରେ ବୃଦ୍ଧି କରାଯାଇଛି ।ଏହା ସହିତ ନନ୍ଦନକାନନ ମଧ୍ୟରେ ଥିବା ଓରାଙ୍ଗଉଟାନଙ୍କ ମନୋରଞ୍ଜନ ପାଇଁ ଦୋଳି ଓ ଖେଳନାର ବ୍ୟବସ୍ଥା କରାଯାଇଛି । ଯେଉଁଠିକି ସେମାନେ ଖେଳି ବୁଲି ସମୟ ଅତିବାହିତ କରୁଛନ୍ତି । ଏହା ସହିତ ସେ 3 ମାସ ଅର୍ଥାତ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସଙ୍ଗରୋଧ (Quarantine)ରେ ରହିବେ । ତେବେ ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଉଛି ।