ବିସିସିଅଆଇ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଜ୍ଞାନ ଓଝା

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ବରିଷ୍ଠ ପୁରୁଷ କ୍ରିକେଟ୍ ଚୟନ କମିଟିରେ ଏକ ବଡ଼ଧରଣର ପରିବର୍ତ୍ତନ ଘଟିଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ବିସିସିଆଇର ପୁରୁଷ ଚୟନ କମିଟିର ନୂତନ ଅଧ୍ୟକ୍ଷ (Chairman) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହ ଅନ୍ୟ ଏକ ପୂର୍ବତନ ସ୍ପିନର ରମେଶ ପାୱାର ପାଞ୍ଚଜଣିଆ ଚୟନ ପ୍ୟାନେଲର ନୂତନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ସହ ସମ୍ପର୍କ ରଖିଥିବା ପ୍ରଜ୍ଞାନ ଓଝାଙ୍କୁ ଏଭଳି ଗୁରୁଦାୟିତ୍ୱ ମିଳିବା ରାଜ୍ୟର କ୍ରିକେଟ୍ ପ୍ରେମୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର । ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ପ୍ରଜ୍ଞାନ ଭାରତୀୟ ଦଳରେ ଜଣେ ସଫଳ ବାମହାତୀ ସ୍ପିନର୍ ଭାବେ ପରିଚୟ ସୃଷ୍ଟି କରିଥିଲେ ।ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଓ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ରହିଛି ୧୧୩ଟି ୱିକେଟ୍ । ଘରୋଇ କ୍ରିକେଟ୍ ସହ ଆଇପିଏଲରେ ମଧ୍ୟ ଖେଳିଛନ୍ତି ।୨୦୧୩ ମସିହାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚରେ ପ୍ରଜ୍ଞାନଙ୍କ ପ୍ରଦର୍ଶନ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ତାଜା ରହିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସେହି ମ୍ୟାଚରେ ସେ ମୋଟ ୧୦ଟି ୱିକେଟ୍ ନେଇ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ । ତେବେ ବିସିସିଆଇ ମୁଖ୍ୟାଳୟରେ ଅଶୋକ ମାଲହୋତ୍ରା ଏବଂ ଜତିନ ପରାଞ୍ଜପେଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି (CAC) ଏହି ସାକ୍ଷାତକାର ପ୍ରକ୍ରିୟା ପରିଚାଳନା କରିଥିଲା। ପରେ ସମସ୍ତଙ୍କ ସହମତିକ୍ରମେ ରମେଶ ପାୱାରଙ୍କ ନାମକୁ ନୂତନ ସଦସ୍ୟ ଭାବେ ସୁପାରିଶ କରାଯାଇଥିଲା। ଖେଳାଯାଇଥିବା ଟେଷ୍ଟ୍ ମ୍ୟାଚ୍ ସଂଖ୍ୟାକୁ ଆଧାର କରି ବରିଷ୍ଠତା ଭିତ୍ତିରେ ପ୍ରଜ୍ଞାନ ଓଝାଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି।ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଆଗାମୀ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ଖେଳାଳି ଚୟନ କରିବାରେ ଏହି ନୂତନ କମିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।