ଫ୍ରାନ୍ସରେ ଜୀବନଯାପନ ଖର୍ଚ୍ଚ ବୃଦ୍ଧି, ଇନ୍ଧନ ଦର ବୃଦ୍ଧି ଏବଂ ସରକାରୀ ସେବାର ଅବନତିକୁ ନେଇ ଦେଶବ୍ୟାପୀ ବିକ୍ଷୋଭ

ଫ୍ରାନ୍ସରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ଗଣ ଆନ୍ଦୋଳନର ରୂପ ନେଇଛି । ଆନ୍ଦୋଳନରେ ବର୍ବରତା ଏବଂ ହିଂସାକାଣ୍ଡ ଘଟଣା ଘଟୁଛି । ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି ।ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଯୋଗୁଁ ୧୫୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୧୨୦୦ରୁ ଅଧିକ ଲୋକ ଗିରଫ ହୋଇଥିବା ସୂଚନା ମିଳିଛି ।ଫ୍ରାନ୍ସର ଗୃହମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ଆନ୍ଦୋଳନରେ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକ ସାମିଲ ହୋଇଥିଲେ । ତେବେ ଆନ୍ଦୋଳନର ଆୟୋଜକମାନେ ବିକ୍ଷୋଭକାରୀଙ୍କ ସଂଖ୍ୟା ଏହାଠାରୁ ଅଧିକ ବୋଲି ଦାବି କରିଛନ୍ତି । ପ୍ରଥମେ ଦେଶର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥା ଏବଂ ଭିତ୍ତିଭୂମି ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । ପରେ ଶ୍ରମିକ ସଂଗଠନ, କୃଷକ, ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ବଢ଼ୁଥିବା ଦରଦାମ ଏବଂ ସାଧାରଣ ଲୋକଙ୍କ କ୍ରୟଶକ୍ତି ହ୍ରାସକୁ ନେଇ ଦୀର୍ଘଦିନର ଅସନ୍ତୋଷ ଏହି ଆନ୍ଦୋଳନକୁ ବ୍ୟାପକ କରିଛି ।ପ୍ୟାରିସ୍‌ରେ ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଶୋଭାଯାତ୍ରା ପରେ ହିଂସାତ୍ମକ ରୂପ ନେଇଥିଲା । କେତେକ ବିକ୍ଷୋଭକାରୀ ଗାଡ଼ି ଓ କୋଠାରେ ନିଆଁ ଲଗାଇବା ସହ ଦୋକାନବଜାରରେ ଭଙ୍ଗାରୁଜା ଏବଂ ଲୁଟ୍‌ପାଟ୍‌ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ପାଣିମାଡ଼ କରିଥିଲା ।