ଡ୍ରଗ୍‌ ଟେଷ୍ଟରେ ଏୟାର ଇଣ୍ଡିଆର ୨ ପାଇଲଟ୍‌ ପଜିଟିଭ୍

ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍‌ମାନଙ୍କ ଡ୍ରଗ୍‌ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚ ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍‌ ପ୍ରାଥମିକ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିନଥିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପାଇଲଟ୍‌ଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି।ଅଗଷ୍ଟ ୧୩ ତାରିଖରୁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ସେମାନଙ୍କର ସମସ୍ତ ପାଇଲଟଙ୍କ ପାଇଁ ନିୟାମକ ଆବଶ୍ୟକତାଠାରୁ ଅଧିକ ବ୍ୟାପକ ସ୍ତରରେ ନିଶାଦ୍ରବ୍ୟ (Psychoactive substance) ଯାଞ୍ଚ ବାଧ୍ୟତାମୂଳକ କରିଥିଲେ।ଅଗଷ୍ଟ ୪ ତାରିଖରେ ଏୟାର ଇଣ୍ଡିଆର ଫୁକେଟ୍-ଦିଲ୍ଲୀ ବିମାନ ହଠାତ୍ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଖସିଆସିବା ଘଟଣା ପରେ ଏହି ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ସେହି ଘଟଣାରେ ବିମାନର କ୍ୟାପ୍ଟେନ୍ ଗଞ୍ଜେଇ ସେବନ କରିଥିବା ଜଣାପଡ଼ିଥିଲା।ଡିଜିସିଏ ନିୟମ ଅନୁସାରେ, କୌଣସି ପାଇଲଟ୍‌ କିମ୍ବା ଉଡ୍ଡୟନ କର୍ମଚାରୀ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌ ଆସିଲେ ତାଙ୍କୁ ନିଶାମୁକ୍ତି କାର୍ଯ୍ୟକ୍ରମକୁ ପଠାଯାଇଥାଏ। ଦ୍ୱିତୀୟ ଥର ପଜିଟିଭ୍‌ ଆସିଲେ ତାଙ୍କ ଲାଇସେନ୍ସ ୩ ବର୍ଷ ପାଇଁ ନିଲମ୍ବିତ ହୋଇପାରେ। ତୃତୀୟ ଥର ନିୟମ ଉଲ୍ଲଂଘନ ହେଲେ ଲାଇସେନ୍ସ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରାଯାଇଥାଏ।ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ବିବୃତ୍ତି ଦିଆଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଟାଟା ଗ୍ରୁପ୍‌ର ଏହି ଦୁଇଟି ଯାତ୍ରୀବାହୀ ବିମାନ ସଂସ୍ଥାରେ ୫,୦୦୦ରୁ ଅଧିକ ପାଇଲଟ୍ କାର୍ଯ୍ୟ କରୁଛନ୍ତି । ବ୍ୟାପକ ଯାଞ୍ଚ ପ୍ରକ୍ରିୟାରେ ବେସାମରିକ ବିମାନ ଚଳାଚଳ ନିୟମ ଅଧୀନରେ ନିଷିଦ୍ଧ ସମସ୍ତ ନିଶାଦ୍ରବ୍ୟ ଓ ଔଷଧ ସାମିଲ ରହିଛି।