ପହଲଗାମ୍ ଆତଙ୍କବାଦୀ ଆକ୍ରମଣ: ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସୟିଦ୍ ବି ଅଭିଯୁକ୍ତ: NIA
ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଅଦାଲତରେ ଏନଆଇଏ ଏହି ଚାର୍ଜସିଟ୍ ଦାଖଲ କରିଛି । ହାଫିଜ୍ ସୟିଦ୍ ଏହି ଆକ୍ରମଣରେ ବ୍ୟକ୍ତିଗତ ଭାବେ ସାମିଲ ଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ପ୍ରତିବନ୍ଧିତ ସଂଗଠନ ଲସ୍କର-ଏ-ତୋଇବା ଏବଂ ତାର ସହଯୋଗୀ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ମଧ୍ୟ ଏହି ଆକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ହାଫିଜ୍ ସୟିଦ୍ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଏବଂ ୟୁଏପିଏ ୧୯୬୭ର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି । ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବା ଏବଂ ସୀମା ପାର୍ଶ୍ୱରୁ ଷଡ଼ଯନ୍ତ୍ର ରଚିବା ପାଇଁ ମଧ୍ୟ ଚାର୍ଜସିଟରେ ଦଣ୍ଡନୀୟ ଧାରା ଲଗାଯାଇଛି । ୧୫୯୭ ପୃଷ୍ଠାର ଚାର୍ଜସିଟରେ ପାକିସ୍ତାନର ଷଡ଼ଯନ୍ତ୍ର, ସୟିଦର ଭୂମିକା ଏବଂ ଏନଆଇଏ ଦ୍ୱାରା କରାଯାଇଥିବା ତଦନ୍ତ ତଥା ପ୍ରମାଣ ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ରହିଛି ।ସୂଚନା ଯୋଗ୍ୟ, ୨୦୨୫ ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ନାଗରିକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ।