କୃଷ୍ଣ ମୋହନ ହେଲେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅନ୍ତରୀଣ ମହାସଚିବ
ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା ଇସ୍ତଫା ଦେଇଥିବାବେଳେ ସୋମବାର ଟ୍ରଷ୍ଟ ଏହାକୁ ଗ୍ରହଣ କରିଛି। କ୍ରିଷ୍ଣ ମୋହନଙ୍କୁ ମନ୍ଦିର ଟ୍ରଷ୍ଟର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଚମ୍ପତ ରାୟଙ୍କ ସ୍ଥାନରେ କୃଷ୍ଣ ମୋହନଙ୍କୁ ଏବେ ଅନ୍ତରୀଣ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ତେବେ ଟ୍ରଷ୍ଟ କହିଛି ଯେ ଏସଆଇଟି ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ କୃଷ୍ଣ ମୋହନ ଏହି ଦାୟିତ୍ୱ ତୁଲାଇବେ।କୃଷ୍ଣ ମୋହନ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଅଟନ୍ତି। ୨୦୨୫ ମସିହାରେ କାମେଶ୍ୱର ଚୈପାଲଙ୍କ ପରଲୋକ ପରେ ରିକ୍ତ ପଦରେ କୃଷ୍ଣ ମୋହନଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ସଦସ୍ୟ ଗ୍ରହଣ କରାଯାଇଥିଲା। କୃଷ୍ଣ ମୋହନ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଥିଲେ। ସେ ମହାରାଷ୍ଟ୍ର କ୍ୟାଡରରେ ତାଙ୍କ ସେବା ଦେଇଥିଲେ। ଚାକିରୀରୁ ଅବସର ଗ୍ରହଣ କରିବା ପରେ ସେ ହର୍ଦ୍ଦୋଇରେ ରହି ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।