ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୪୯୪ ଟି ସହରାଞ୍ଚଳ ବିକାଶ ପ୍ରକଳ୍ପର ଶୁଭାରମ୍ଭ।

ପୁରୀ :-06/07/2026ଓଡ଼ିଶାର ସହରଗୁଡ଼ିକରେ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ (MSBY) ଅଧୀନରେ ୩୭ଟି ପୌରାଞ୍ଚଳରେ ୪୯୪ଟି ନଗର ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପୁରୀ ଜିଲ୍ଲା ଓସୱାନ (OSWAN) ହଲ୍‌ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ ଉନ୍ନତ ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ, ନାଗରିକ ସୁବିଧା ସୁଯୋଗର ବିକାଶ ଏବଂ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ସ୍ଥାୟୀ ତଥା ନାଗରିକ-କେନ୍ଦ୍ରିକ ବିକାଶ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଥିବା ବେଳେ ଦେଶ ଗଠନରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଓ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟର ୭ଟି ପାର୍କ ଏବଂ ରାସ୍ତାକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି। ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଏହି ୪୯୪ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହିତ ସେହି ୭ଟି ପାର୍କ ଏବଂ ରାସ୍ତାର ନାମକରଣ କରାଯାଇଥିଲା। ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ବେହେରା ସାହି ରାସ୍ତାର ଉନ୍ନତିକରଣ, ବାରିପଦାର ଫରେଷ୍ଟ କଲୋନୀ ପାର୍କ, କଟକର ଟାଉନ ହଲ୍ ନିକଟସ୍ଥ ପାର୍କ, ବ୍ରହ୍ମପୁର ନୀଳକଣ୍ଠ ନଗରର ପ୍ରେମ ନଗରରୁ ମାଙ୍ଗୋ ମାର୍କେଟ ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା, ରାଉରକେଲାର ସିଭିଲ୍ ଟାଉନସିପ୍ ପାର୍କ, ଢେଙ୍କାନାଳର ବସ୍ ଷ୍ଟାଣ୍ଡରୁ କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଜଟଣୀର ସରସ୍ୱତୀ ଶିଶୁ ମନ୍ଦିରରୁ ଶ୍ରୀହରି ବିହାର ପର୍ଯ୍ୟନ୍ତ ରାସ୍ତା ସାମିଲ ରହିଛି।ଏହି ସମାବେଶକୁ ସମ୍ବୋଧିତ କରି ଡା କୃଷ୍ଣଚନ୍ଦ୍ର ମହାପାତ୍ର ଯୋଜନାବଦ୍ଧ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ସହରାଞ୍ଚଳର ନାଗରିକମାନଙ୍କ ପାଖରେ ଉନ୍ନତ ଭିତ୍ତିଭୂମି ଓ ନାଗରିକ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିବା ସହ ବିକାଶମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଓଡ଼ିଶାର ସହରଗୁଡ଼ିକୁ ଅଧିକ ବାସୋପଯୋଗୀ, ସମାବେଶୀ ଏବଂ ସ୍ଥାୟୀ କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ