ବୈଷୟିକ ଶିକ୍ଷାରେ ବଢ଼ିଲା ସଂରକ୍ଷଣ, ଏସସି-ଏସଟି ଓ ଏସଇବିସିଙ୍କୁ ବଡ଼ ସୁଯୋଗ
ଏସସି-ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ବଢ଼ିଲା ସଂରକ୍ଷଣ । ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଅନୁସୂଚିତ ଜାତିଙ୍କ ସଂରକ୍ଷଣ ୮ରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି |ବୈଷୟିକ ଶିକ୍ଷାରେ ଏସ୍ସି, ଏସ୍ଟି ଏବଂ ଏସ୍ଇବିସିଙ୍କ ପାଇଁ ବୃଦ୍ଧି ହେଲା ସଂରକ୍ଷଣ | ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହାଦ୍ବାରା ଏହି ସବୁ ବର୍ଗର ଛାତ୍ରଛାତ୍ରୀମାନେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍ନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସେସ୍, ଆର୍କିଟେକ୍ଚର୍, ପ୍ଲାନିଙ୍ଗ୍, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ।, ନିଯୁକ୍ତି ଏବଂ BA, BCom, BSc ଭଳି ସାଧାରଣ ଉଚ୍ଚଶିକ୍ଷାରେ ଏହି ସବୁ ବର୍ଗର ପିଲାମାନଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ରହିଛି। ତେବେ ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ସରକାର ଏ ସଂପର୍କିତ ପ୍ରସ୍ତାବରେ ମୋହର ମାରିଥିଲେ । ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।