୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ, ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ଆଉ ୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ । ଏଭଳି ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା ।ସେ କହିଛନ୍ତି ଯେ, ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ଟେକ୍ନିକାଲ ପ୍ରୋବ୍ଲେମ ଥିଲା। ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଂ ଚାଲିଛି। ଯାହା ମାଧ୍ୟମରେ ଆଇଏଫଏମଏସ ସେବା ମାଧ୍ୟମରେ ରିଏଲ ଟାଇମ ପେମେଣ୍ଟ ହେବ। ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି। ଆଉ ସାତ ଦିନ ମଧ୍ୟରେ ଆକାଉଣ୍ଟ ଭେଟିଂ ହୋଇଗଲା ପରେ ଭତ୍ତା ସମସ୍ୟା ଆଉ ରହିବ ନାହିଁ। ରାଜ୍ୟର ବହୁ ଜିଲ୍ଲାରୁ ଭତ୍ତା ବନ୍ଦ ହେବା କିମ୍ବା ବିଳମ୍ବରେ ମିଳିବା ନେଇ ଅଭିଯୋଗ ଆସିଥିଲା । ଅନେକ ବୃଦ୍ଧ ଓ ଅସହାୟ ଲୋକ ଏହି ଭତ୍ତା ଉପରେ ନିର୍ଭର କରୁଥିବାରୁ ସେମାନଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏବେ ମନ୍ତ୍ରୀଙ୍କ ଘୋଷଣା ପରେ ହିତାଧିକାରୀମାନଙ୍କ ମନରେ ଆଶା ସଞ୍ଚାର ହୋଇଛି ।