ମହାଭାରତ ଯୁଦ୍ଧ ପରେ ମଧ୍ୟ ଜୀବିତ ଥିଲେ ଜଣେ କୌରବ : ଜାଣନ୍ତୁ ମହାଭାରତର କିଛି ଅଜଣା କଥା
ଭୁବନେଶ୍ୱର ୦୬/୦୬ : ମହାଭାରତ ଯୁଦ୍ଧରେ ଅନେକ ଯୋଦ୍ଧା ଥିଲେ ଯେଉଁମାନଙ୍କ ଚରିତ୍ର ଖୁବ ମହତ୍ଵପୂର୍ଣ୍ଣ ଥିଲା | ମହାଭାରତ ଯୁଦ୍ଧ ସ୍ମାରକରେ ଏମିତି ଅନେକ ତଥ୍ୟ ରହିଛି ଯାହା ଅଧିକାଂଶ ଲୋକେ ଜାଣିନଥାନ୍ତି | ମହାଭାରତର ଏକ ମହତ୍ଵପୂର୍ଣ୍ଣ ଚରିତ୍ର ଥିଲେ ଯୁଯୁତ୍ସୁ |
ଅଧିକାଂଶ ଲୋକ ଜାଣିଛନ୍ତି ମହାରାଜା ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶହେ ପୁତ୍ର ଥିଲେ | କିନ୍ତୁ ଧୃତରାଷ୍ଟ୍ରଙ୍କ ୧୦୧ ପୁତ୍ର ଥିଲେ | ଧୃତରାଷ୍ଟ୍ରଙ୍କ ଆଉ ଜଣେ ପୁତ୍ର ହେଲେ ଯୁଯୁତ୍ସୁ | କିନ୍ତୁ ତାଙ୍କ ମାତା ଗାନ୍ଧାରୀ ନଥିଲେ | ଜଣେ ଦାସୀଙ୍କ ଠାରୁ ଧୃତରାଷ୍ଟ୍ରଙ୍କୁ ଏହି ପୁତ୍ର ପ୍ରାପ୍ତ ହୋଇଥିଲା | ଯେତେବେଳେ ଗାନ୍ଧାରୀ ଗର୍ଭବତୀ ଥିଲେ, ସେତେବେଳେ ଧୃତରାଷ୍ଟ୍ରଙ୍କ ସେବା ପାଇଁ ଜଣେ ଦାସୀ ନିଯୁକ୍ତ ଥିଲେ | ସେହି ଦାସୀଙ୍କ ଠାରୁ ଧୃତରାଷ୍ଟ୍ରଙ୍କୁ ଏକ ପୁତ୍ର ପ୍ରାପ୍ତି ହୋଇଥିଲା | ଧୃତରାଷ୍ଟ୍ର ପୁତ୍ର ହୋଇଥିବା ଯୋଗୁଁ ଯୁଯୁତ୍ସୁ ମଧ୍ୟ କୌରବ ଥିଲେ | ଧୃତରାଷ୍ଟ୍ରଙ୍କ ପୁତ୍ର ହୋଇଥିବାରୁ ତାଙ୍କୁ ମଧ୍ୟ ରାଜକୁମାର ଭଳି ସମାନ ଶିକ୍ଷା, ଅଧିକାର ଓ ସମ୍ମାନ ମିଳିଥିଲା | କିନ୍ତୁ ସେ ଅନ୍ୟ କୌରବଙ୍କ ଭଳି ଅଧର୍ମୀ, ଅନ୍ୟାଚାରୀ, ପାପୀ ନଥିଲେ | ଧର୍ମ ଅଧର୍ମ ଭିତରେ ପାର୍ଥକ୍ୟ ସେ ବୁଝିଥିଲେ | ସେଥିପାଇଁ କୌରବ ଭାଇମାନେ ଯୁଯୁତ୍ସୁଙ୍କୁ ଆଦର କରୁନଥିଲେ |
ଯୁଯୁତ୍ସୁ ଧର୍ମ ମାର୍ଗରେ ଚଳୁଥିଲେ ସେଥିପାଇଁ ସେ ଦୁର୍ଯ୍ୟୋଧନଙ୍କ ଅନୁଚିତ ଚେଷ୍ଟାକୁ ପସନ୍ଦ କରୁନଥିଲେ | ସେଥିପାଇଁ ଦୁର୍ଯ୍ୟୋଧନ ଓ ତାଙ୍କର ଅନ୍ୟ ଭାଇମାନେ ତାଙ୍କୁ ମହତ୍ୱ ଦେଉନଥିଲେ ଏବଂ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ | ମହାଭାରତ ଯୁଦ୍ଧ ରୋକିବା ପାଇଁ ସେ ମଧ୍ୟ ନିଜ ଆଡୁ ଅନେକ ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ଯୁଦ୍ଧ ଆରମ୍ଭ ହେବା ସମୟରେ ସେ କୌରବଙ୍କ ତରଫରୁ ଯୁଦ୍ଧ କରୁଥିଲେ | କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଧର୍ମରାଜ ଯୁଧିଷ୍ଠିର ଯୁଦ୍ଧ କ୍ଷେତ୍ରକୁ ଆସି କୌରବ ସେନାକୁ କହିଥିଲେ, ଏହା ଧର୍ମ ଯୁଦ୍ଧ, ଯଦି ଶତ୍ରୁ ସେନା ପକ୍ଷରୁ କିଏ ପାଣ୍ଡବ ସେନାରେ ସାମିଲ ହୋଇ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ଚାହୁଁଛନ୍ତି ତାହେଲେ ଆସିପାରନ୍ତି | ଯୁଧିଷ୍ଠିରଙ୍କ କଥା ଶୁଣି ଯୁଯୁତ୍ସୁ କୌରବ ସେନା ଛାଡି ପାଣ୍ଡବ ସେନାରେ ସାମିଲ ହୋଇଥିଲେ | ଯୁଧିଷ୍ଠିର ତାଙ୍କୁ ସ୍ୱାଗତ କରିଥିଲେ | ପାଣ୍ଡବ ସେନା ସାପେକ୍ଷରେ ଯୁଦ୍ଧ କରିଥିବାରୁ ମହାଭାରତ ଯୁଦ୍ଧ ସମାପ୍ତ ହେବାପରେ ଜଣେ ହିଁ କୌରବ ଜୀବିତ ଥିଲେ |
ଯୁଧିଷ୍ଠିର ନିଜ ରାଜ ଦରବାରରେ ଯୁଯୁତ୍ସୁଙ୍କୁ ମନ୍ତ୍ରୀ ପଦବୀ ଦେଇଥିଲେ | ଯୁଯୁତ୍ସୁଙ୍କୁ ଠିକ ମହାମନ୍ତ୍ରୀ ବିଦୁରଙ୍କ ଭଳି ପଦବୀ ଦେଇ ସମ୍ମାନିତ କରିଥିଲେ | ଧୃତରାଷ୍ଟ୍ରଙ୍କ ମୃତ୍ୟୁ ପରେ ଯୁଯୁତ୍ସୁ ତାଙ୍କୁ ମୁଖାଗ୍ନି ଦେଇ ପୁତ୍ର ଧର୍ମ ବହନ କରିଥିଲେ | ଯେତେବେଳେ ଯୁଧିଷ୍ଠିର ମହାପ୍ରୟାଣ ପାଇଁ ବାହାରିଲେ ସେ ପରୀକ୍ଷିତଙ୍କୁ ରାଜା କରିଥିଲେ ଏବଂ ଯୁଯୁତ୍ସୁ ତାଙ୍କ ସଂରକ୍ଷକ ଥିଲେ | ଯୁଯୁତ୍ସୁ ଏହି ଦାୟିତ୍ୱକୁ ମଧ୍ୟ ଆଜୀବନ ନିଷ୍ଠା ଓ ସମର୍ପଣ ସହ ବହନ କରିଥିଲେ |
ଯୁଯୁତ୍ସୁ ମହାଭାରତ ଏମିତି ଏକ ଚରିତ୍ର ଯିଏ ପ୍ରମାଣ କରିଥିଲେ ଯେ, ଆପଣଙ୍କ ଚାରିପାଖରେ ଯେମିତି ବି ଲୋକ ଥାଆନ୍ତୁ, ସେମାନଙ୍କ ଆଚରଣ କିଭଳି ତାହା ମଣିଷର ସ୍ୱଭାବ ଉପରେ ପ୍ରଭାବ ପକାଇନଥାଏ ଯେପର୍ଯ୍ୟନ୍ତ ମଣିଷ ନିଜେ ତା ଦ୍ଵାରା ପ୍ରଭାବିତ ହୋଇନଥାଏ |