ରଥଯାତ୍ରା ପୂର୍ବରୁ ପୁରୀରେ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି “ସମର୍ପଣ”ର ଶୁଭାରମ୍ଭ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକ ଅତି ସୁନ୍ଦର, ଭକ୍ତିପୂତ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛନ୍ତି।‘ଡିଜିଟାଲ ହୁଣ୍ଡି – ସମର୍ପଣ’ ଆପ୍– ଘରେ ରହି ମହାପ୍ରଭୁଙ୍କୁ ଦାନ କରିପାରିବେ ଶ୍ରଦ୍ଧାଳୁ |କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଶ୍ରୀ ମନ୍ଦିର ସହିତ ଏକ ପବିତ୍ର ସେତୁ ଭଳି ଯୋଡ଼ିବ ଏହି ଡିଜିଟାଲ ଦାନ ବ୍ୟବସ୍ଥା | ପବିତ୍ର ରଥଯାତ୍ରାର ପୂର୍ବ ଦିନ ଆଜି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି ।ଏହି ଐତିହାସିକ ପଦକ୍ଷେପଟି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଓକାକ (OCAC) ଦ୍ୱାରା ବିକଶିତ ହୋଇଥିବା ଏହି ନିରାପଦ ଡିଜିଟାଲ ପ୍ଲାଟଫର୍ମକୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ୍ ପୋର୍ଟାଲ ସହିତ ସଂଯୁକ୍ତ କରାଯାଇଛି, ଯାହା ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱଚ୍ଛତାର ସହ ଦାନ କରିବାର ସୁବିଧା ପ୍ରଦାନ କରୁଛି।