ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଆଖିରେ କଳାପଟି ବାନ୍ଧି ସବୁ ଲୁଟିନେଲା ଚୋର

ଠାକୁରଙ୍କ ମୁହଁରେ କପଡା ଘୋଡାଇ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କୁଳିଗଡି ଗାଁରେ ଥିବା ଶନିମନ୍ଦିରରୁ ଚୋରି। ଠାକୁରଙ୍କ ସମସ୍ତ ଅଳଙ୍କାର, ଦାନ ବାକ୍ସର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ମନ୍ଦିରରୁ ଚୋରି କରିବା ପରେ ଗାଁରୁ ଦୁଇଟି ସାଇକେଲ ଚୋରି କରି ଫେରାର ମାରିଲେ ଚୋର।ସୂଚନା ଅନୁସାରେ, ପ୍ରଥମେ ଚୋରମାନେ ଗାଁର ହନୁମାନ ମନ୍ଦିରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେଠାରୁ ରୂପା ମୁକୁଟ, କଙ୍କଣ, ପାଦର ଆଠି, ଭଗବାନ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୁକୁଟ, ହନୁମାନଜୀଙ୍କ ଲକେଟ୍‌, ଚେନ୍‌ ଓ ରୂପା ପାତ୍ର ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ।

ତାପରେ ଚୋରମାନେ ପାଖରେ ଥିବା ଶନି ମନ୍ଦିରକୁ ଟାର୍ଗେଟ୍ କରିଥିଲେ। ଏଠାରେ ଚୋରି ସମୟରେ ସେମାନେ ଏକ ଅଜବ କାଣ୍ଡ କରିଥିଲେ, ଯାହା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇପଡ଼ିଛି। ଚୋରମାନେ ଶନିଦେବଙ୍କ ଆଖିରେ କଳା କପଡ଼ା ବାନ୍ଧି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଧାରଣା ଅନୁସାରେ, ଏହା ଚୋରମାନେ ନିଜ କାର୍ଯ୍ୟକୁ ଲୁଚାଇବା ପାଇଁ କରିଥିବେ।ଏହି ମନ୍ଦିରରୁ ମଧ୍ୟ ରୂପା ମୁକୁଟ, ସୁନାର ଲକେଟ୍‌, କଙ୍କଣ, ପଇତା, ପାଦଚଲା ଓ କାନ କୁଣ୍ଡଳ ଭଳି ଅନେକ ଗହଣା ଚୋରି ହୋଇଛି। ଦୁଇଟି ମନ୍ଦିରରୁ ମୋଟେ ୪ ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ଚୋରି ହୋଇଥିବା ଅନୁମାନ କରାଯାଉଛି।ସକାଳୁ ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ପୂଜାରୀ। ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ୍। ଗାଁ ଲୋକମାନେ ମଧ୍ୟ ଏହାକୁ ନେଇ ମର୍ମାହତ । ଏ ବିଷୟରେ ସେମାନେ ବିଶେଷ କିଛି ଜାଣିନାହାନ୍ତି । ତେବେ ଦୁଇଟି ସାଇକେଲ୍ ଚୋରି ହୋଇଥିବାରୁ ଏକାଧିକ ଚୋର ଆସିଥିଲେ ବୋଲି ସ୍ପଷ୍ଟ ହୋଇଛି । ଚୋର ଖୁବ୍ ଶୀଘ୍ର ଧରାପଡିବେ ବୋଲି ପୋଲିସ କହିଛି ।