ଶ୍ରୀ ରଘୁନାଥଙ୍କ ପୀଠରେ ରାମନବମୀ ଉତ୍ସବଲଙ୍କାପୋଡ଼ି ଯାତ୍ରା ଉଦଘାଟିତ
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବିରାଜିତ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ପବିତ୍ର ଶ୍ରୀରାମ ନବମୀ ତିଥିରେ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଶୁକ୍ରବାର ଭୋର ୪ଟାରୁ ଗଣିଆ ଗ୍ରାମର ପ୍ରତ୍ୟେକ ସାହିରେ ପ୍ରଭାତ ଫେରୀ କରାଯାଇଥିଲା । ସକାଳ ୭ଘଟିକାରେ ବଜରଙ୍ଗସେନା ଦ୍ୱାରା ଏକ ବିଶାଳ ବାଇକ ଶୋଭାଯାତ୍ରା ରଘୁନାଥ ଜୀଉଙ୍କ ମନ୍ଦିର ନିକଟରୁ ବାହାରି ଗଣିଆ, କିଶୋରପ୍ରସାଦ, ବିଜୟନଗର ଓ ବେଲପଡ଼ାଗ୍ରାମ ପରିକ୍ରମ କରାଯାଇଥିଲା ।

ଏଥିରେ ଗଣିଆ ଅଂଚଳର ୨୦୦ରୁ ଉର୍ଦ୍ଧ୍ୱ ସଭ୍ୟ ଶ୍ରୀରାମଙ୍କ ନାମ କୀତନକରି ବାଇକ ଶୋଭାଯାତ୍ରା କରିଥିଲେ । ଏହାପରେ ଠାକୁରଙ୍କ ପାରମ୍ପରିକ ରୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯାଇ ବିକ୍ରମ ନରେନ୍ଦ୍ରଙ୍କ ରଚିତ ରାମଙ୍କ ଜନ୍ମ ବୃତାନ୍ତ ରାମାୟଣର ଆଦ୍ୟକାଣ୍ଡ ପଠନ କରାଯାଇଥିଲା । ମଧ୍ୟାନ୍ନରେ ଠାକୁରଙ୍କ ଜନ୍ମୋତ୍ସବ ପରେ ସୂର୍ଯ୍ୟ ଦର୍ଶନ, ଓ ବେଢା ପରିକ୍ରମା ନୀତି ଅନୁଷ୍ଠିତ ହୋଇଥିଲା । ରୀତି ଅନୁଯାୟୀ ୧୩ଦିନ ବ୍ୟାପୀ ପୂଜାର୍ଚ୍ଚନା ଶ୍ରୀରାମ ଲୀଳାଭିନୟ କରାଯିବ । ୧୯୭୨ ମସିହାରୁ ଗଣିଆର ମୁଖ୍ୟପର୍ବ ଭାବରେ ଜାକଜକମରେ ଏହିଯାତ୍ରା ପାଳିତ ହୋଇ ଆସୁଛି । ଗଣିଆ ଲଙ୍କାପୋଡ଼ି ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ପ୍ରଚୀନ ମୁକ୍ତରଙ୍ଗମଂଚ ଏହି କଳା ସଂସ୍କୃତି ନୃତ୍ୟ ସଙ୍ଗୀତ ପରମ୍ପରାର ନିଦର୍ଶନ ଅଟେ । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଲା ୩୩ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ ନିର୍ମିତ ଚଳନକ୍ଷମ ୧୦ମୁଣ୍ଡ ଓ ବିଂଶ ବାହୁ ବିଶିଷ୍ଟ ରାବଣ ଓ ୨୦ଫୁଟ ବିଶିଷ୍ଟ ନନ୍ଦିଘୋଷ ରଥ । ଶ୍ରୀରାମ ନବମୀଠାରୁ ମୁଖ୍ୟ ନାଟ ମଣ୍ଡପ ସମେତ ୩ଗୋଟି ମୁକ୍ତାକାଶ ରଙ୍ଗମଂଚରେ ଏହି ଶ୍ରୀରାମ ଲିଳାଭିନୟ ଅନୁଷ୍ଠିତ ହୋଇ ଅସୁଛି । ଏହି କ୍ରମରେ ଶ୍ରୀରାମ ନବମୀ ଉପଲକ୍ଷେ ଠାକୁରଙ୍କ ଦର୍ଶନ ନିମତ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଳମ୍ବିତ ସନ୍ଧ୍ୟାରେ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ପରିସରରେ ଥିବା ନାଟ ମଣ୍ଡପରେ ରାମନାଟକର ଉଦଘାଟନ ଦିବସରେ ଶ୍ରୀରାମ ଜନ୍ମ ଓ ତାଡ଼କା ବଧ ନାଟକ ପରିବେଷିଣ ଆରମ୍ଭ ହୋଇଥିଲା । ନୌକେଶୀଙ୍କୁ ଋଷି ବିଶ୍ରବାଙ୍କ ଔରସରୁ ଜନ୍ମ ନିଅନ୍ତି ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ । ଜନ୍ମ ପରେ ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇ ତ୍ରିପୁର ବିଜୟ ସହିତ ଦେବଗଣଙ୍କୁ ସ୍ୱର୍ଗରାଜ୍ୟରୁ ବିତାଡ଼ିତ କରନ୍ତି । ଦୈତ ଓ ଦୁରାଚାରଙ୍କ ଅତ୍ୟାଚାରରେ ଅତିଷ୍ଠ ଦେବଗଣଙ୍କ ଆତୁର ପ୍ରାର୍ଥନା ଶୁଣି ଶ୍ରୀବିଷ୍ଣୁ ଅଯୋଧ୍ୟାରେ ରାମଅବତାର ଗ୍ରହଣ କରି ଦୈତ୍ୟ ନିପାତର ପ୍ରତିଶୃତି ଦେବା ସହ ପ୍ରଭୁଙ୍କ ସହଯୋଗ ନିମନ୍ତେ ଦେବଗଣ ମର୍ତ୍ୟଧାମରେ ଉଲୁକ ବାନର ରୂପେ ଅବତୀର୍ଣ୍ଣ ହେବା ସ୍ଥିରିକୃତ ହୁଏ । କାଳକ୍ରମେ ଋଷ୍ୟଶୃଙ୍ଗ ମୁନିଙ୍କ ତପସାଧନରେ ପ୍ରଭାଭିତ ହୋଇ ଅଯୋଧ୍ୟାର ରାଜା ଦଶରଥ ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ ପୁତ୍ରେଷ୍ଟି ଯଜ୍ଞର ଆଯୋଜନ କରନ୍ତି । ରାଜା ଦଶରଥଙ୍କର ତିନିରାଣୀ କୈଶଲ୍ୟା କୈକେୟୀ ଓ ସୁମିତ୍ରା ଯଜ୍ଞ ଚରୁ ଭକ୍ଷଣ କରନ୍ତି । ଅତଏବ କୈଶଲ୍ୟା ଶ୍ରୀରାମଙ୍କୁ କୈକେୟୀ ଭରତଙ୍କୁ ଓ ସୁମିତ୍ରା ଲକ୍ଷ୍ମଣ ଓ ଶତୃଘ୍ନଙ୍କୁ ଜନ୍ମ ଦିଅନ୍ତି । କାଳକ୍ରମେ ରାଜା ଦଶରଥ ଓ ୩ରାଣୀଙ୍କ କୋଳରେ ଚନ୍ଦ୍ରକଳା ସଦୃଶ ବଢିଚାଲନ୍ତି ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତୃଘ୍ନ । କାଳକ୍ରମେ ଚାରିଭାଇ କୁଳଗୁରୁ ବଶିଷ୍ଠଙ୍କ ନିକଟରୁ ଶିକ୍ଷାଲାଭ କରିବା ସହିତ ଯୁଦ୍ଧ ବିଦ୍ୟାରେ ନିପୁଣତା ହାସଲ କରନ୍ତି । ଅପରପକ୍ଷେରେ ସିଦ୍ଧ ବନରେ ଋଷି ବିଶ୍ୱାମିତ୍ର ଓ ଅନ୍ୟମୁନିଋଷିଙ୍କ ଯାଗଯଜ୍ଞ ଓ ଜପତପକୁ ଧ୍ୱଂସବିଧ୍ୱଂସ କରି ଚାଲନ୍ତି ଦୁଷ୍ଟ ଦୈତ୍ୟଗଣ । ଆକଶରୁ ଶୁନ୍ୟବାଣୀ ହୁଏ ଦଶରଥ ନନ୍ଦନ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଦ୍ୱାରା ଯଜ୍ଞ ରକ୍ଷା ସମ୍ଭବ । ଅତଏବ ଋଷି ବିଶ୍ୱାମିତ୍ର ଅଯୋଧ୍ୟା ଗମନ କରନ୍ତି ଶ୍ରୀରମ ଓ ଲକ୍ଷ୍ମଣଙ୍କୁ ସିଦ୍ଧବନ ଆଣିବାକୁ । ବାତ୍ସଲ୍ୟ ପ୍ରେମରେ ନିମଜିତ ରାଜା ଦଶରଥ ପ୍ରଥମେ ଅମଙ୍ଗ ହୁଅନ୍ତି ପରେ ଦୈବବାଣୀ କ୍ରମେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଷି ବିଶ୍ୱାମିତ୍ରଙ୍କ ସଙ୍ଗେ ଗମନ କରନ୍ତି ଶ୍ରୀରାମ ଓ ଲକ୍ଷ୍ମଣ । ବାଟରେ ଦୁଷ୍ଟ ଅସୁରୁଣୀକୁ ତାଡ଼କାକୁ ବଦ୍ଧ କରନ୍ତି ଦୁଇ ଭାଇ । ଏଭଳି ମନୋରମ ଦୃଶ୍ୟ ଦେଖିବାକୁ ଗଣିଆ ଅଂଚଳର ବହୁ ରାମପ୍ରେମୀ ଭକ୍ତ ଉପସ୍ଥିତ ରହି ନାଟକ ଉପଭୋଗ କରିଥବଲେ ।