ସରକାରୀ ଅର୍ଥ ହେରଫେର ଅଭିଯୋଗ,ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏକ ବଡ଼ ଧରଣର ଆର୍ଥିକ ଠକେଇ ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଚାଷୀ ଏବଂ ସାଧାରଣ ଲୋକଙ୍କ ସୁବିଧା ପାଇଁ ଗଠିତ ସମବାୟ ସମିତିକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲର ମାଧ୍ୟମ ବନାଇଥିବା ଜଣେ ପୂର୍ବତନ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ଏହି ପୂର୍ବତନ ସମିତି ସମ୍ପାଦକ ହେଉଛନ୍ତି ବାଙ୍କୀ ବ୍ଲକ୍ ଅନ୍ତର୍ଗତ ଆନନ୍ଦପୁର ସେବା ସମିତିର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକ।ସୂଚନା ଅନୁସାରେ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସରଣ୍ଡା ଶାଖା ଅଧୀନରେ ଶରତ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ନାଁରେ ୨୦୨୧/୨୨ ବର୍ଷରେ ୨୧ ଲକ୍ଷ ୨୮ ହଜାର ୫୮ ଟଙ୍କାର ଅର୍ଥ ହେରଫେର ଅଭିଯୋଗ ରହିଛି। ଏଥିପାଇଁ ଭିଜିଲାନ୍ସ ଟାର୍ଗେଟରେ ରହିଥିଲେ ଏହି ପୂର୍ବତନ ସମିତି ସମ୍ପାଦକ ଶରତ। ଆଉ ଏହି କ୍ରମରେ ମଙ୍ଗଳବାର ଭୋର ସମୟରେ କଟକ ଭିଜିଲାନ୍ସର ୬ ଜଣିଆ ଟିମ ଅଚାନକ ଶରତଙ୍କ ଓସ୍ତିଆ ସ୍ଥିତ ବାସଭବନରେ ପହଞ୍ଚି ଶରତଙ୍କୁ ଉଠାଇ ନେଇଥିଲା। ବର୍ତ୍ତମାନ ଶରତ ଭିଜିଲାନ୍ସ ହାଜତରେ ଅଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଶରତ ନାୟକ ସମିତିର ସମ୍ପାଦକ ଦାୟିତ୍ୱରେ ଥିବା ବେଳେ ଋଣ ନେଇଥିବା ବିଭିନ୍ନ ହିତାଧିକାରୀ ଓ ସଦସ୍ୟଙ୍କ ଠାରୁ ସିଧାସଳଖ ଋଣ ପରିଶୋଧ ଅର୍ଥ ସଂଗ୍ରହ କରୁଥିଲେ। ଟଙ୍କା ଆଦାୟ କରିବା ପରେ ସେ ଚତୁରତାର ସହ ଦୈନିକ କାରବାର ଖାତାରେ ପ୍ରକୃତ ଟଙ୍କା ହିସାବ ଲେଖୁଥିଲେ ମଧ୍ୟ, ସରକାରୀ ଆକାଉଣ୍ଟିଂ ରେଜିଷ୍ଟରରେ ବ୍ୟାପକ ଜାଲିଆତି କରୁଥିଲେ। ଆଦାୟ ହୋଇଥିବା ଟଙ୍କାର ପରିମାଣକୁ ରେଜିଷ୍ଟରରେ ଢେର୍ କମ୍ ଦର୍ଶାଇ, ବଳକା ଟଙ୍କାକୁ ସେ ବିନା ଦ୍ୱିଧାରେ ନିଜ ପକେଟରେ ପୂରାଉଥିଲେ।