୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ର ପରୀକ୍ଷାମୂଳକ ପ୍ରଚଳନ ପାଇଁ ସରକାର ଦେଲେ ମଞ୍ଜୁରୀ!
କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ ଆସିଛି।୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର ନୋଟ୍ ପରୀକ୍ଷାମୂଳକ ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସରକାର ଏହାକୁ ମଞ୍ଜୁରି କରିଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇଛନ୍ତି।ପଲିମର ନୋଟ୍ ଗୁଡ଼ିକର ସବୁଠାରୁ ବଡ଼ ବିଶେଷତା ହେଉଛି ଏହି ନୋଟ୍ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ଆଧାରିତ ସାମଗ୍ରୀ (Polymer) ରୁ ତିଆରି କରାଯାଏ, ଯାହାଫଳରେ ଏହା ଅଧିକ ସ୍ଥାୟୀ ହେବ। ଏଗୁଡ଼ିକ କାଗଜ ନୋଟ୍ ତୁଳନାରେ ବହୁତ ମଜବୁତ ଏବଂ ଶୀଘ୍ର ଚିରିଯାଏ ନାହିଁ।ଏହା ଉପରେ ପାଣି, ଝାଳ କିମ୍ବା ଓଦାର କୌଣସି ପ୍ରଭାବ ପଡ଼ିନଥାଏ ଏବଂ ଏହି ନୋଟ୍ ଗୁଡ଼ିକ ଶୀଘ୍ର ମଇଳା ହୁଏନାହିଁ। ଏଗୁଡ଼ିକର ଆୟୁଷ (ଶେଲ୍ଫ ଲାଇଫ୍) କାଗଜ ନୋଟ୍ ତୁଳନାରେ ଅନେକ ଅଧିକ।