ସାମ୍ବାଦିକ ମାନଙ୍କୁ ସମସ୍ତ ଟୋଲ ଗେଟରେ ଟୋଲ ଆଦାୟ ଫ୍ରି ନିମନ୍ତେ ଆଠଗଡ ମିଡ଼ିଆ ହାଉସ ପକ୍ଷରୁ ଦାବିପତ୍ର ପ୍ରଦାନ।
ଆଠଗଡ଼, ୨/୪(ମାନସ ରଞ୍ଜନ ସାହୁ)-ରାଜ୍ୟରେ ଥିବା ସମସ୍ତ ଟୋଲ ଗେଟରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ତଥା ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କର୍ତବ୍ୟରତ ସାମ୍ବାଦିକ ମାନଙ୍କୁ ରାଜ୍ୟର ଥିବା ଟୋଲ ଗେଟରୁ ଟୋଲଫି ଆଦାୟ ନକରିବାକୁ ଆଠଗଡ଼ର ଅଗ୍ରଣୀ ସାମ୍ବାଦିକ ସଙ୍ଘ ଆଠଗଡ଼ ମିଡିଆ ହାଉସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରା ଯାଇଛି। ଆଜି ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼ ମିଡିଆ ହାଉସର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଉପସଭାପତି ବିଜୟ କୁମାର ନାୟକ ପ୍ରମୁଖ ୧୫ ଜଣ ସାମ୍ବାଦିକ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବି ପତ୍ର ପ୍ରଦାମ କରିଥିଲେ ।

ଗତ ପଖାଳ ଦିବସ ଅବସରରେ ଖୁଣ୍ଟୁଣୀ ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷ ମଧ୍ୟରେ ମିଡିଆ ହାଉସ ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଆଠଗଡ଼ ମିଡିଆ ହାଉସର ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ରାଜ୍ୟର ଥିବା ବିଭିନ୍ନ ଛାପା ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାନ୍ତି । ହେଲେ ସେମାନଙ୍କ ଉପରେ ବିଭିନ୍ନ ସ୍ଥାନରେ ବିନା କାରଣରେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ତଥା ଅସାମାଜିକ ଲୋକ ସେମାନଙ୍କ ଉପରେ ଆକ୍ରମଣ କରି ଖୁବ ସହଜରେ ଖସି ଯାଇଥାନ୍ତି । କାରଣ ସେମାନଙ୍କୁ ସରକାରୀ ଅଙ୍କୁଶ ନଲାଗିବା ଓ ସେମାନେ ବିଭିନ୍ନ ରାଜନୈତିକ ଦଳର ଛତ୍ର ଛାୟା ତଳେ ରହି ସମ୍ବାଦଦାତା ମାନଙ୍କ ଉପରେ ଆକ୍ରମଣ କରି ଅକ୍ଳେଶରେ ଖସି ଯାଉଥିବା ଅତୀତରେ ବହୁ ନଜିର ରହିଛି । ଏଣୁ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସମ୍ବାଦଦାତା ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଟୋଲ ଗେଟ ମାନଙ୍କରେ ସେମାନଙ୍କ ୪ ଚକିଆ ଯାନକୁ ଟୋଲ ମୁକ୍ତ କରିବା ପାଇଁ ମିଡିଆ ହାଉସ ପକ୍ଷରୁ ସଭାପତି ପଣ୍ଡା, ଉପଦେଷ୍ଟା ଶ୍ୱେତକାନ୍ତ ବେହେରା, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଉପସଭାପତି ବିଜୟ ନାୟକ, କାର୍ଯ୍ୟକାରୀ ସଭାପତି ସ୍ୱରାଜ ପଣ୍ଡା, ସହ ସମ୍ପାଦକ ମାନସ ରଞ୍ଜନ ସାହୁ,କୋଷାଧ୍ୟକ୍ଷ ଦେବବ୍ରତ ବେହେରା, ସୋନାଲି କାଳିଆ, ରଞ୍ଜିତ ରାଉତ, ସଞ୍ଜୟ ମହାନ୍ତି, ମାୟାଧାର ରଥ, ସୁକାନ୍ତ ଦଳେଇ, ମହେଶ୍ୱର ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।