ସାରା ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଲେ କିଛି ଲୋକଙ୍କ ଭାବନା ଆଘାତ ପାଇପାରେ – ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା ସହିତ ଜଡ଼ିତ ଏବଂ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ।ବାଣ ଫୁଟାଇବା ଉପରେ ସାରା ଦେଶରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ସପକ୍ଷରେ କୋର୍ଟ ନଥିବା ସ୍ପଷ୍ଟ କରିଛନ୍ତି । ତେବେ ୨୪ ଘଣ୍ଟା ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ସହ କେଉଁ ପ୍ରକାରର ବାଣ ବ୍ୟବହାରକୁ ଅନୁମତି ମିଳିବ, ସେନେଇ ସମାଧାନ ବାହାର କରାଯିବ ବୋଲି କୋର୍ଟ କହିଛନ୍ତି । ଏହାସହ ବାଣରେ ବ୍ୟବହୃତ ବେରିୟମ୍ର ପରିମାଣ ଏବଂ ଏହାର ଶବ୍ଦସ୍ତର ବା ଡେସିବେଲ୍ ସ୍ତର ଯାଞ୍ଚ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଓ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ ହେବ ।