ସେନ୍ସର ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ପ୍ରଦର୍ଶନ ଓ ପ୍ରମାଣପତ୍ର ପ୍ରଦାନ ସମ୍ପର୍କିତ ନୂତନ ନିର୍ଦ୍ଦେଶାବଳୀ ଜାରି 

କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ପକ୍ଷରୁ ଚଳଚ୍ଚିତ୍ର ପ୍ରଦର୍ଶନ ଓ ପ୍ରମାଣପତ୍ର ପ୍ରଦାନ ସମ୍ପର୍କିତ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏହି ସଂଶୋଧିତ ନିୟମାବଳୀ ୬ ଡିସେମ୍ବର ୧୯୯୧ରୁ ପ୍ରଚଳିତ ପୁରୁଣା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଆଣିଛି ।ନୂତନ ନିୟମରେ ଅପରାଧ, ହିଂସା, ନିଶାଦ୍ରବ୍ୟ, ଧୂମପାନ, ଆପତ୍ତିଜନକ ବିଷୟବସ୍ତୁ, ଅଶ୍ଳୀଳତା ଏବଂ ମହିଳା, ଶିଶୁ, ପଶୁ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଚିତ୍ରଣ ସମ୍ପର୍କରେ ସ୍ପଷ୍ଟ ନିୟମ ରଖାଯାଇଛି । ଏଥିସହ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ମତରେ, ଏହି ନିୟମାବଳୀର ମୂଳ ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ରର କଳାତ୍ମକ ଅଭିବ୍ୟକ୍ତି ଓ ସୃଜନଶୀଳ ସ୍ୱାଧୀନତାକୁ ସୁରକ୍ଷା ଦେବା ସହ ସାମାଜିକ ମୂଲ୍ୟବୋଧ ଓ ସମ୍ବେଦନଶୀଳତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା । ଅନାବଶ୍ୟକ କଟକଣା ଲଗାଇବା ନୁହେଁ, ବରଂ ଦାୟିତ୍ୱପୂର୍ଣ୍ଣ କାହାଣୀ ଉପସ୍ଥାପନକୁ ପ୍ରୋତ୍ସାହନ ଦେବା ଏହାର ଲକ୍ଷ୍ୟ ।କାହାଣୀର ଆବଶ୍ୟକତା ଅନୁଯାୟୀ ଏଭଳି ଦୃଶ୍ୟ ରହିପାରିବ, କିନ୍ତୁ କେବଳ ଚାଞ୍ଚଲ୍ୟ ସୃଷ୍ଟି କରିବା ପାଇଁ ଏହାର ବ୍ୟବହାର ଗ୍ରହଣୀୟ ହେବ ନାହିଁ ।ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ନିଶାକାରକ ପଦାର୍ଥର ଚିତ୍ରଣକୁ ନେଇ ନୂତନ ନିୟମରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । କୌଣସି ଚଳଚ୍ଚିତ୍ରରେ ନିଶାଦ୍ରବ୍ୟର ସେବନ, ବ୍ୟବହାର କିମ୍ବା ଚାଲାଣ ସମ୍ବନ୍ଧୀୟ ଦୃଶ୍ୟ ରହିଥିଲେ, ପରଦାରେ ନିର୍ଦ୍ଦିଷ୍ଟ ଚେତାବନୀ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ । କୌଣସି ଦୃଶ୍ୟ, ସଂଳାପ କିମ୍ବା ଗୀତ ସାଧାରଣ ମାନବୀୟ ସମ୍ବେଦନଶୀଳତାକୁ ଆଘାତ ଦେବା ଉଚିତ୍ ନୁହେଁ । ବିଶେଷକରି ଦ୍ୱିଅର୍ଥବୋଧକ ଶବ୍ଦ ଓ ସଂଳାପ, ଯାହା ଅଶ୍ଳୀଳତାକୁ ପ୍ରୋତ୍ସାହନ ଦିଏ କିମ୍ବା ଅନୁଚିତ ମାନସିକତା ସୃଷ୍ଟି କରେ, ସେଗୁଡ଼ିକ ଉପରେ ବୋର୍ଡ କଡ଼ା ନଜର ରଖିବ।