୧୨ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତଯୋଗ ଶରୀର, ଆତ୍ମା ଓ ବୁଦ୍ଧିକୁ ଏକତ୍ର କରେ
ଗଣିଆ,(ବିଶ୍ୱରଂଜନ ସେଠି ) ବିଶ୍ୱ ଯୋଗ ଦିବସ ଅବସରରେ ଗଣିଆସ୍ଥିତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଖେଳପଡ଼ିଆଠାରେ ବ୍ଳକସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଯୋଗ ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀଙ୍କ ସହିତ ଅନ୍ୟାନ୍ୟ ଯୁବବର୍ଗ ଯୋଗଦାନ କରି ଯୋଗଭ୍ୟାସ କରିଥିଲେ ।

ବିଦ୍ୟାଳୟର ଖେଳ ଶିକ୍ଷକ ବିକାଶ କୁମାର ମଲ୍ଲ ପ୍ରଶିକ୍ଷକଭାବେ ଯୋଗାଭ୍ୟାସ କରିଥିଲେ । ଗଣିଆ ବ୍ଳକର ସମସ୍ତ ଜନ ସେବା କେନ୍ଦ୍ର (ସିଏସସି)ଗୁଡ଼ିକରେ ଜନ ସେବାକେନ୍ଦ୍ରର ନୟାଗଡ଼ ଜିଲା ପରିଚାଳକ ସୁବାଷ ଚନ୍ଦ୍ର ପରିଡ଼ାଙ୍କ ତତ୍ୱାବଧାନରେ ସ୍ଥାନୀୟ ଜନସାଧରଣଙ୍କୁ ନେଇ ଯୋଗାଭ୍ୟାସ କରାଯାଇଥିଲା । ସେହିପରି ଗଣିଆ ପଂଚାୟତ ସମିତି ପରିସରରେ, ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ରାଜିଙ୍ଗି, ସରକାରୀ ହୋମିଓପାଥି ଚିକିତ୍ସାଳୟ, ବେଲପଡ଼ାପାଟଣା, ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା ସାଧନ କେନ୍ଦ୍ର, ବିଭିନ୍ନ ଗ୍ରାମର ଯୁବକ ସଂଘ ଓ କ୍ଳବ ଘରେ ଯୁବକମାନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ରାଜିଙ୍ଗି, ସରକାରୀ ହୋମିଓପାଥି ଚିକିତ୍ସାଳୟ, ବେଲପଡ଼ାପାଟଣାରେ ଡାକ୍ତର ବିଶ୍ୱଜିତ ସ୍ୱାଇଁଙ୍କ ତତ୍ୱାବଧାନରେ ପ୍ରକାଶ କୁମାର ପରିଡ଼ା ଯୋଗାଚାର୍ଯ୍ୟ ଭାବେ ଯୋଗାଭ୍ୟାସ କରାଇଥିଲେ । ଯୋଗ କରିବା ଦ୍ୱାରା ନିଜର ଶରୀର ସୁସ୍ଥ ରହିବା ସହିତ ନିଜର ନିଷ୍ଠା ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ଯୋଗାଚାର୍ଯ୍ୟମାନେ ସୁଚନା ଦେଇଥିଲେ । ଉଦାହରଣ ସ୍ୱରୁପ ପୁରାଣ କାଳର ମୁନିଋଷିମାନେ କିପରି ଯୋଗଦ୍ୱାରା ନିଜର ଏକାଗ୍ରତା ଦ୍ୱାରା ଭୂତ ଓ ଭବିଷ୍ୟତ କଥା ଜାଣି ପାରୁଥିଲେ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇ ଯୋଗ ଅଭ୍ୟାସ ୮ଟାରେ ସରିଥିଲା । କପାଳଭାତୀ, ଅନୁଲମ, ବିଳମ୍ ସମେତ ଅନ୍ୟାନ୍ୟ ଯୋଗାଭ୍ୟାସ ସହିତ ଦୀର୍ଘ ୧ଘଂଟାଧରି ବିଭିନ୍ନ ଯୋଗଭ୍ୟାସ କରାଯାଇଥିଲା ।