୫ଦିନଧରି କେନ୍ଦୁପଲୀ ଗ୍ରାମ ଅନ୍ଧାରବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାବିଜେପି ମଣ୍ଡଳ ସଭାପତିଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଗଣିଆ,୧୦.୦୬( ବିଶ୍ୱରଂଜନ ସେଠି ) ଗତ ଶନିବାର ଅପରାହ୍ନରେ କାଳବୈଶାଖିର ପ୍ରଭାବରେ ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯାହାକୁ ନେଇ ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ ପର୍ଯ୍ୟନ୍ତ ନାକେଦମ ହେବାକୁ ପଡ଼ିଥିଲା । ୪ଦିନ ଧରି ବିଦ୍ୟୁତ ବିଭାଗ ତରଫରୁ ଉପୁଡ଼ିଯାଇଥିବା ବିଦ୍ୟୁତ ଖୁଂଟ ଓ ଛିଡ଼ିପଡ଼ିଥିବା ତାର ଯୋଡ଼ିବାକୁ ସକ୍ଷମ ହୋଇଥିଲେ । ସେହିପରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପୁଡ଼ିଯାଇଥିବା ଗଛ, ରାସ୍ତାରେ ପଡ଼ିଥିବା ଗଛକୁ କାଟି ସଫା କରିଥିଲେ । ସବୁଆଡ଼େ ଯାତାୟତ ସ୍ୱଭାବିକ ଥିବାବେଳେ ରାସଙ୍ଗ ପଂଚାୟତର କେନ୍ଦୁପଲ୍ଲୀ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । କାରଣ କେନ୍ଦୁପଲୀ ଗ୍ରାମର ସବିତା ସାହୁଙ୍କ ଘର ଉପରେ ୧୧ କେଭି ତାର ଯାଇଛି । ଯାହାକୁ ନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରିୀଙ୍କ ଠାରୁ ଆରମ୍ଭ କରି ଏସଡିଓ ଏପରିକି ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଘର ଉପରେ ଥିବା ୧୧କେଭି ତାରକୁ ସ୍ଥାନାନ୍ତରିତ କରିବାକୁ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ ।

କାରଣ ତାଙ୍କର ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଆସିଥିବାରୁ ସେ ଛାତ ପକାଇ ପାରୁନଥିଲେ । ଅରକ୍ଷିତକୁ ଦଇବ ସାହାଭଳି କାଳବୈଶାଖୀର ତାଣ୍ଡବ ଲୀଳାରେ ତାଙ୍କ ଘର ଉପରେ ଥିବା ୧୧ କେଭି ତାର ଛିଡ଼ି ଯାଇଥିଲା । ଯେତେବେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ତାର ଯୋଡ଼ିବାକୁ ଯାଇଥିଲେ ସବିତା ସେହି ସମୟରେ ମୁଁ ଛାତ ପକାଇସାରିଲା ପରେ ତାର ଯୋଡ଼ିବା ସହିତ ତାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଅନୁରୋଧ କରିଥିଲେ । ଘଟଣାସ୍ଥଳରେ ଗଣିଆ ଥାନା ଅଧିକାର ଟଙ୍କଧର ଛତ୍ରିଆ ଯାଇ ବୁଝାସୁଝା କରିଥିଲେ ମଧ୍ୟ ସବିତା ରାଜି ହୋଇନଥିଲେ । ଯେଉଁଥି ପାଇଁ ୫ଦିନ ଧରି କେନ୍ଦୁପଲ୍ଲୀ ଗ୍ରାମରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଯାହାକୁ ନେଇ ବିଦ୍ୟୁତ ସଂଯୋଗ ପାଇଁ ସ୍ଥାନୀୟ ଲୋକମାନେ ଦାବୀ କରୁଥିଲେ ମଧ୍ୟ କୌଣସି ଫଳ ନମିଳିବାରୁ ସୋମବାର ଦିନ ଓ ମଙ୍ଗଳବାର ଦିନ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଘଟଣାସ୍ଥଳରେ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯିବ ଏବଂ ସବିତା ଯେଉଁଦିନ ତାଙ୍କ ଘରର ଛାତ ପକାଇବେ ସେହିଦିନ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି କହିଥିଲେ । ଏଭଳି ପ୍ରତିଶୃତି ମିଳିବାପରେ କେନ୍ଦୁପଲୀ ଗ୍ରାମବାସୀମାନେ ଧାରଣାରୁ ଓହରିଥିଲେ ।