ଆଜି ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

ସରିଲା ମହାପ୍ରଭୁଙ୍କ ଜନ୍ମ ବେଦି ଲୀଳା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ। ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ଅପରୂପ ବେଶ ଭକ୍ତମାନଙ୍କ ମନକୁ ଭକ୍ତି ଓ ଭାବରେ ପରିପୂର୍ଣ୍ଣ କରିଦେଇଛି ।ବାହୁଡ଼ା ପାଇଁ ନବମୀ ଦିନ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ହୋଇ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭହେବ ବୋଲି ପ୍ରଶାସନିକ ସୂଚନା ରହିଛି| ବାହୁଡ଼ା ଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିର ମହାପର୍ବ । ମହାପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ପାଇଁ ସମସ୍ତଙ୍କ ପ୍ରାର୍ଥନା ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।