ଆଜି ରାତିରେ ଇରାନ୍ ଉପରେ ବଡ଼ ହମ୍‌ଲା :ଟ୍ରମ୍ପ

ପଶ୍ଚିମ ଏସିଆରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଯାହାକି ତୃତୀୟ ବିଶ୍ଵଯୁଦ୍ଧ ଆଡକୁ ଆଶଙ୍କା ବଢ଼ିଛି।ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ଆମେରିକା ଆଜି ରାତିରେ ଇରାନ ଉପରେ ଏକ “ବହୁତ ବଡ଼ ଏବଂ ଜୋରଦାର ଆକ୍ରମଣ” କରିବାକୁ ଯାଉଛି । ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ନୌସେନା, ବାୟୁସେନା, ରାଡାର, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅଧିକାଂଶ ଆକ୍ରମଣାତ୍ମକ କ୍ଷମତା ପୂର୍ବରୁ ହିଁ ଶେଷ ହୋଇସାରିଛି ।ଆମେରିକା ଏବଂ ଇରାନ ଲଗାତାର ଦ୍ୱିତୀୟ ଦିନ ପାଇଁ ଗୁଳି ବିନିମୟ ପରେ ଟ୍ରମ୍ପଙ୍କ ଏହି ପୋଷ୍ଟ ଯାହାକି ଯୁଦ୍ଧ ଆହୁରି ତୀବ୍ର ହେବା ନେଇ ସୂଚାଉଛି। ଆମେରିକା ଆକ୍ରମଣ ଯୋଗୁ ଇରାନର ସିରିକ ଓ ମିନାବରେ ବିସ୍ଫୋରଣ ଘଟିଛି। ଆକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଇରାନୀୟ ଏୟାର ଡିଫେନ୍ସକୁ ଆକ୍ଟିଭେଟ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଘନଘନ ଆକ୍ରମଣ କରିବାକୁ ଏହାର ଜବାବ ମଧ୍ୟ ଇରାନ ଦେବାକୁ ପଛାଇ ନାହିଁ। ଜୋର୍ଡାନର ଅଲ ଅଜରାକ ଏୟାର ବେସ୍‌ରେ ଇରାନର ଆକ୍ରମଣ ଯୋଗୁ ଶକ୍ତଶାଳୀ ବିସ୍ଫୋରଣ ହୋଇଛି। ଏହି ଏୟାରବେସ୍‌କୁ ଆମେରିକା ସେନା ବ୍ୟବହାର କରୁଥିବାରୁ ଇରାନ ଏହାକୁ ଟାର୍ଗେଟ କରିଥିବା କହିଛି।ରାଷ୍ଟ୍ରପତି ଟ୍ରମ୍ପ କେବଳ ଆକ୍ରମଣର ଧମକ ଦେଇନାହାନ୍ତି, ବରଂ ଇରାନର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିବାକୁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେ ଦାବି କରିଛନ୍ତି ଯେ, ନିକଟ ଭବିଷ୍ୟତରେ ଆମେରିକା ଇରାନର ପ୍ରମୁଖ ତେଲ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ୱୀପ’ (Kharg Island) ଏବଂ ଅନ୍ୟାନ୍ୟ ତେଲ ଭିତ୍ତିଭୂମି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବ । ଏହାସହ ଇରାନର ତେଲ ଓ ଗ୍ୟାସ୍ ବଜାରକୁ ଆମେରିକା ନିଜ କବ୍‌ଜାକୁ ନେବ ।