ଆଠଗଡ଼ରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା।

ଆଠଗଡ : ୦୭/୦୭ ( ମାନସ ରଞ୍ଜନ ସାହୁ) ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ୮୯-ଆଠଗଡ଼ ନିର୍ବାଚନମଣ୍ଡଳୀର ଚିଠା ଭୋଟର ତାଲିକା ଆଠଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସ୍ୱଚ୍ଛ, ନିର୍ଭୁଲ ଏବଂ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ୮୯-ଆଠଗଡ଼ ନିର୍ବାଚନମଣ୍ଡଳୀରେ ମୋଟ ୧,୯୯,୯୦୩ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧,୦୩,୬୫୪ ଜଣ ପୁରୁଷ, ୯୬,୨୪୩ ଜଣ ମହିଳା ଏବଂ ୬ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। ଖସଡ଼ା ପ୍ରକାଶ ପୂର୍ବରୁ ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୧୨,୩୬୯ ଥିବାବେଳେ ସଘନ ସଂଶୋଧନ ପ୍ରକ୍ରିୟାରେ ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଦ୍ୱିତୀୟ ଥର ପଞ୍ଜୀକୃତ ଓ ଅଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରାଯାଇ ୧୨,୪୬୬ ଜଣଙ୍କ ନାମ ବାଦ ଦିଆଯାଇଛି।ଏହି ଅବସରରେ ଆଠଗଡ଼ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ତିଗିରିଆ ତହସିଲଦାର ଧର୍ମରଞ୍ଜନ ପଣ୍ଡା, ଡେପୁଟି କଲେକ୍ଟର ପ୍ରଭୁଦତ୍ତ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ମାନସ ରଞ୍ଜନ ବେହେରା, ଆଠଗଡ଼ ଏନ୍‌ଏସିର ନିର୍ବାହୀ ଅଧିକାରୀ ବଳୟ ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ପ୍ରତିନିଧିମାନେମଧ୍ୟ ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ।