ଖଜା ଭାଟିରେ ପୁଣି ପୋଲିସର ରେଡ୍, ଅସ୍ବାସ୍ଥ୍ୟକର ପରିବେଶରେ ହେଉଥିଲା ପ୍ରସ୍ତୁତ

ଶ୍ରୀମନ୍ଦିର ଆଖପାଖରୁ ଖଜା କିଣୁଥିଲେ ସାବଧାନ ! ଆପଣଙ୍କୁ ମିଳିପାରେ ନିମ୍ନମାନର ଖଜା । ଯାହାକୁ ବାସି ଶିରା, ନିମ୍ନମାନର ଘିଅ, ତେଲରେ ପ୍ରସ୍ତୁତ କରାଯାଉଛି । ଆଜି ସକାଳୁ ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ ନିକଟରେ ଥିବା ଖଜା ଦୋକାନ ଉପରେ ଚାଲିଛି ରେଡ୍ ।ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଚଢ଼ାଉ। ଶ୍ରୀମନ୍ଦିର ନିକଟ କାକୁଡିଖାଇ ଛକ ନିକଟରେ ଥିବା ଖଜା ଭାଟି ଉପରେ ରେଡ୍। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିଲା ଖଜା। ଖବରପାଇ ସକାଳୁ ରେଡ୍ କରିଛି ପୋଲିସ ଟିମ୍।ଖବର ଅନୁଯାୟୀ, ଗତ କିଛି ଦିନ ହେଲା ପୁରୀରେ ବିକ୍ରି ହେଉଥିବା ଖଜାରେ ଅପମିଶ୍ରଣ ହେଉଥିବାର ଅଭିଯୋଗ ହୋଇଥିଲା । ଏହାପରେ ଆକ୍ସନମୋଡକୁ ଆସିଥିଲା ପୁରୀ ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ୟୁନିଟ । ବିଭିନ୍ନ ଟିମ୍‌ ଗଠନ କରି ପୁରୀ ସହରରେ ଚଢାଉ କରିଥିଲା ପୋଲିସ । ସେହି ସମୟରେ ଅନେକ ଅପମିଶ୍ରଣ ଜନିତ ଖଜା ଜବତ ହୋଇଥିଲା ।ପ୍ରତ୍ୟେକ ଦିନ ପୁରୀକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସୁଛନ୍ତି । ପୁରୀର ପ୍ରସିଦ୍ଧ ଖଜା କିଣି ଘରକୁ ନେଉଛନ୍ତି । ତେଣୁ ଖଜା ବହୁଳ ପରିମାଣରେ ବିକ୍ରି ହେଉଛି । ଏଣୁ କିଛି ଅସାଧୁ ବ୍ୟବସାୟୀ ଅତି ନିମ୍ନ ମାନର ଘିଅ, ତେଲରେ ଖଜା ପ୍ରସ୍ତୁତ କରି ଅଧିକ ଲାଭ ଆଶାରେ ବିକ୍ରି କରୁଛନ୍ତି । ଏହି ଖଜା ଖାଇଲେ ଦେହ ଅସୁସ୍ଥ ହେବାର ସମ୍ଭାବନା ରହିଛି । ଏନେଇ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ବିଭିନ୍ନ ଖଜା ଦୋକାନ ଓ ଗୋଦାମ ଉପରେ ଚଢାଉ କରାଯାଇଛି । ବେଆଇନ ଭାବେ ଖଜା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଏସପି ନିର୍ଦ୍ଦେଶ ଦେଇଛନ୍ତି ।