ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା
ଗଣିଆ,-(ବିଶ୍ୱରଂଜନ ସେଠି ) ଶୁକ୍ରବାର ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ବାହୁଡ଼ାଯାତ୍ରା ପାଳିତ ହୋଇଯାଇଛି । ସକାଳୁ ଠାକୁରଙ୍କ ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନରେ ଠାକୁରଙ୍କ ପହଣ୍ଡି ବିଜେ, ଛେରାପହଁରା ଓ ରଥଟଣା କାର୍ଯ୍ୟ ହୋଇଥିଲା । ଗଣିଆ ମାଉସୀ ମା’ ମନ୍ଦିର ଠାରୁ ରଥଟଣା ଆରମ୍ଭ ହୋଇ ସଂନ୍ଧ୍ୟାରେ କଳପାଟ ମନ୍ଦିର ନିକଟରେ ରଥ ପହଚିଂଥିଲା । ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବା ସହିତ ଖୁସିରେ ନାମ ସଂକୀର୍ତନ କରି ରଥ ଟାଣିଥିଲେ ।

ଆସନ୍ତା କାଲି ଏକାଦଶୀ ପାଳନ ହେବା ସହିତ ରଥରେ ଠାକୁରଙ୍କ ସୁନାବେଶରେ ଦର୍ଶନ ଦେବେ । ସେହିପରି ବେଲପଡ଼ାର ଦଧିବାମନ ଜୀଉ, ରାସଙ୍ଗରେ ଜଗନ୍ନାଥ, ହରିପୁରରେ ପତୀତପାବନ ଜୀଉ, ବେଠିଆସାହିରେ ଏକକ ଜଗନ୍ନାଥ, ଜଗନ୍ନାଥ ପ୍ରସାଦରେ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିଲା । ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ସାହା ଆଲାମ ଖାନ ଓ ସମସ୍ତ ଥାନା କର୍ମଚାରୀ ରଥଯାତ୍ରାକୁ ସୁପରିଚାଳନା କରିଥିଲେ ।