ଛାମୁଣ୍ଡିଆରେ ୫ ଦିନ ଧରି ଜିଓ ନେଟୱାର୍କ ଅଚଳ: ଠପ୍ ହେଲା ବ୍ୟାଙ୍କିଙ୍ଗ୍ ଓ ପାଠପଢ଼ା, ଅସନ୍ତୋଷ ବୃଦ୍ଧି

ଛାମୁଣ୍ଡିଆ ( ବିଶ୍ୱରଂଜନ ସେଠି )): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଛାମୁଣ୍ଡିଆ ପଞ୍ଚାୟତର କୁମ୍ଭୀରଖାଣି ଠାରୁ ଆରମ୍ଭ କରି ବଡ଼ମୂଳ ପଯ୍ୟନ୍ତ ୧୫ ଖଣ୍ଡ ଗ୍ରାମରେରେ ଗତ ୫ ଦିନ ହେବ ଜିଓ (Jio) ନେଟୱାର୍କ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଛାମୁଣ୍ଡିଆଠାରେ ବସାଯାଇଥିବା ଜିଓ ଟାୱାର କାମ କରୁନଥିବାରୁ ସମଗ୍ର ଅଞ୍ଚଳରେ ମୋବାଇଲ ସେବା ଓ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନେଟୱାର୍କ ନଥିବାରୁ ସ୍ଥାନୀୟ ବ୍ୟାଙ୍କ, ସେବା ସମବାୟ ସମିତି, ପଞ୍ଚାୟତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟାଳୟ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅନଲାଇନ୍ ଓ ବ୍ୟାଙ୍କିଙ୍ଗ୍ ସେବା ନମିଳିବାରୁ ସାଧାରଣ ଲୋକେ ଟଙ୍କା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିକାଲିର ଅନଲାଇନ୍ ଶିକ୍ଷା, ଫର୍ମ ପୂରଣ, ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଓ ଗବେଷଣା ପାଇଁ ଇଣ୍ଟରନେଟ୍ ଅତ୍ୟାବଶ୍ୟକ ହୋଇଥିବା ବେଳେ ୫ ଦିନ ହେବ ନେଟୱାର୍କ ନଥିବାରୁ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଜରୁରୀ ସମୟରେ ଆମ୍ବୁଲାନ୍ସ (୧୦୮), ଡାକ୍ତରଖାନା କିମ୍ବା ପୁଲିସ୍ ସହ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନାହିଁ। ଅନଲାଇନ୍ ପେମେଣ୍ଟ୍ ବ୍ୟବସ୍ଥା ବନ୍ଦ ହୋଇଯିବାରୁ ସ୍ଥାନୀୟ ଦୋକାନୀ ଓ ବ୍ୟବସାୟୀମାନେ ବ୍ୟବସାୟରେ ବହୁ କ୍ଷତି ସହିଛନ୍ତି ବାରମ୍ବାର ନେଟୱାର୍କ ସମସ୍ୟା ଓ କମ୍ପାନୀର ଅବହେଳା ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ନିୟମିତ ରିଚାର୍ଜ କରୁଥିଲେ ସୁଦ୍ଧା ଉଚିତ୍ ସେବା ନମିଳିବାରୁ ସ୍ଥାନୀୟ ଲୋକେ ଏବେ ଜିଓ ନେଟୱାର୍କରୁ ମୁହଁ ଫେରାଇବା ସହ ଅନ୍ୟ ନେଟୱାର୍କକୁ ପୋର୍ଟ କରିବାକୁ ବାଧ୍ୟ ହେଉଛନ୍ତି। ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଓ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଛାମୁଣ୍ଡିଆ ଟାୱାରକୁ ସଚଳ କରିବା ସହ ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।