ଜନ୍ମବେଦୀରେ ମହାପ୍ରଭୁଙ୍କ ଶେଷ ଦର୍ଶନ, ଶୁକ୍ରବାର ବାହୁଡ଼ିବେ ମହାବାହୁ

ସନ୍ଧ୍ୟା ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି। ଶରଧାବାଲି ଲୋକାରଣ୍ୟ ହୋଇ ପଡିଛି। ଶୁକ୍ରବାର ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ । ଏହା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ। ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି । ସନ୍ଧ୍ୟା ଦର୍ଶନ ଦିନ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ । ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯିବ । ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଶୁକ୍ରବାର ଠାକୁରଙ୍କ ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଠିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି।